ଡ୍ରାଗନର ଦାଦାଗିରି: ଦେଖାଇଲା ନାଲି ଆଖି…

ବେଜିଂ,୧୩।୪: ଚାଇନା ତାଇଓ୍ବାନ ପ୍ରସଙ୍ଗରେ ଦାଦାଗିରି ଆରମ୍ଭ କରିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିନ୍‌କେନ୍‌ ତାଇଓ୍ବାନ ପ୍ରସଙ୍ଗ ନେଇ ତାଗିଦ୍‌ କରିବା ପରେ ଚାଇନା ନାଲି ଆଖି ଦେଖାଇ ୨୫ଟି ଯୁଦ୍ଧ ବିମାନ ଅନୁପ୍ରବେଶ କରାଇଛି। ବିମାନଗୁଡ଼ିକ ତାଇଓ୍ବାନ ଆକାଶ ସୀମାରେ ସୋମବାର ଅନୁପ୍ରବେଶ କରିଥିଲେ। ବିମାନଗୁଡ଼ିକ ମଧ୍ୟରେ ୨ଟି ଓ୍ବାଇ-୮ ଆଣ୍ଟି ସବ୍‌ ମେରାଇନ୍‌ ଏୟାରକ୍ରାଫ୍ଟ ୧୪ଟି ଜେ-୧୬ ଯୁଦ୍ଧ ବିମାନ, ୪ଟି ଏଚ୍‌-୬ ନ୍ୟୁକ୍ଲିୟର ବୋମାବର୍ଷୀ ବିମାନ ଆଦିକୁ ସାମିଲ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ତାଇଓ୍ବାନ ନିଜର କ୍ଷେପଣାସ୍ତ୍ରର ମୁହଁ ଯୁଦ୍ଧ ବିମାନ ଦିଗକୁ ମୋଡ଼ି ଦେଇଥିଲା। ଏହି ଘଟଣା ପରେ ତାଇଓ୍ବାନ ବହିର୍ବ୍ୟାପାର ମନ୍ତ୍ରୀ ଯୋଶେଫ ଓ୍ବୁ କହିଛନ୍ତି ଯେ, ଯୁଦ୍ଧ ହେଲେ ଆମେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼େଇ କରିବୁ। ଦେଶବାସୀଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ବୋଲି ସେ କହିଛନ୍ତି। ଏହାକୁ ନେଇ ଚାଇନାର ରାଗ ପୁଣି ଦୁଇଗୁଣା ହୋଇଯାଇଛି।

Share