ବଇଣ୍ଡା,୩୦।୯(ପରିକ୍ଷିତ ସାହୁ): କିଶୋରନଗର ବ୍ଲକ ବଇଣ୍ଡା ଛକ, କଦଳୀମୁଣ୍ଡା, ନନ୍ଦମୁଣ୍ଡା, ଶରଧାମୁଣ୍ଡା ଅଞ୍ଚଳରେ ଡ୍ରେନ୍ କାର୍ଯ୍ୟ ସରୁନାହିଁ। ଠିକାସଂସ୍ଥା ପକ୍ଷରୁ କାମ ସମାପ୍ତ କରାଯାଉ ନ ଥିବାରୁ ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ବାରମ୍ବାର ବଇଣ୍ଡା ଗ୍ରାମବାସୀ ରାସ୍ତା କାମ କରୁଥିବା ଠିକାସଂସ୍ଥାକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ନେଇ ଶୁକ୍ରବାର କଦଳୀମୁଣ୍ଡା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ୨୦୨୦ ମସିହାରୁ ବଇଣ୍ଡା ଅଞ୍ଚଳରେ ଡ୍ରେନ୍ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଅନେକ ଅଞ୍ଚଳରେ କାମ ଅଧାପନ୍ତରିଆ ରହିଛି। ରାସ୍ତା ପାର୍ଶ୍ୱ ଖୋଳାଯାଇଥିବାରୁ ଅନେକ ଲୋକ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବିଦ୍ୟାଳୟକୁ ମଧ୍ୟ ଯିବା ଆସିବା ପାଇଁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଠିକାସଂସ୍ଥାର କର୍ମଚାରୀମାନେ ଠିକ୍ ଭାବେ କାମ କରୁ ନ ଥିବା ଶରଧାମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଡ୍ରେନ୍ କାର୍ଯ୍ୟ ନିମ୍ନମାନର ହେଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଠିକାସଂସ୍ଥା ପରିଚାଳକ ଜିତେନ୍ଦ୍ର ବେହେରା କହିଛନ୍ତି, ବଳକା ଥିବା ଡ୍ରେନ୍ କାର୍ଯ୍ୟ ସମାପ୍ତ କରାଯିବ।