ଆଶ୍‌ପଣ୍ଡ ପାଉଁଶରେ ଡ୍ରେନ୍‌ ଜାମ୍‌

କଣିହାଁ,୩।୭(ସଚ୍ଚିଦାନନ୍ଦ ପ୍ରଧାନ): କଣିହାଁ  ବ୍ଲକ ଏନ୍‌ଟିପିସି ପ୍ରକଳ୍ପର ଏକ ଆଶ୍‌ ପାଇପ୍‌ ଫାଟି ଯିବାରୁ ଗୁରୁବାର ପ୍ରାୟ ୩୦ ମିନିଟ୍‌ ଧରି ମାଡୁଆ ମନ୍ଦିର ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ପାଉଁଶ ପାଣିରେ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍‌ ପୋତି ହୋଇଯାଇଛି। ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଡ୍ରେନ୍‌ ସଫେଇ କରାଯାଇନାହିଁ। ଫଳରେ ଆଶପଣ୍ଡ ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ରାସ୍ତା ଉପରେ ନିର୍ଭରଶୀଳ ଛେଣ୍ଡିପଦା ବ୍ଲକ, କଣିହାଁ  ବ୍ଲକର କାକୁଡ଼ିଆ, ବଡ଼ଗୁଣ୍ଡୁରୀ, ଡେରଙ୍ଗ, କଣିହାଁ  ପଞ୍ଚାୟତବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ବ୍ୟସ୍ତବହୁଳ ରାସ୍ତା ଉପରେ ଛେଣ୍ଡିପଦା, କଣିହାଁ  ବ୍ଲକବାସୀ ନିର୍ଭର କରୁଛନ୍ତି। ରାସ୍ତାରେ ପାଉଁଶ ପାଣି ପ୍ରବାହିତ ହେଉଥିବାରୁ ରବିବାର ସାପ୍ତାହିକ ହାଟପାଳିକୁ ଆସିଥିବା ବହୁସଂଖ୍ୟାରେ ବ୍ୟବସାୟୀ, ଗ୍ରାହକ ସମସ୍ୟାରେ ପଡ଼ିଥିଲେ। ଏଭଳି ପାଣି ପ୍ରବାହିତ ହେଲେ ପିଚୁ ରାସ୍ତା ନଷ୍ଟ ହୋଇଥିବା ଆଶଙ୍କା ରହିଛି। ପାଉଁଶ ପରିଚାଳନା ନାମରେ କମ୍ପାନୀ କର୍ତ୍ତୃପକ୍ଷ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ମାଡୁଆ ମନ୍ଦିର ନିକଟରେ ପାଉଁଶ ପାଣି ପରିଚାଳନାରେ ଏଭଳି ତ୍ରୁଟି ଅସନ୍ତୋଷ ବଢ଼ାଉଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଆଶପଣ୍ଡ ପାଉଁଶ ପରିଚାଳନା ଅଧିକାରୀ ଏ.କେ. ସାମଲଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।