ବସ୍ତା ହସ୍ପିଟାଲ ଭିତରେ ପଶିଲା ଦୂଷିତ ପାଣି

ବସ୍ତା,୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ବୁଧବାର ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବସ୍ତା ହସ୍ପିଟାଲ ଭିତରେ ୨ଫୁଟର ପାଣି ପଶିଥିବା ଦେଖିବାକୁ ମିଳିଛି। ବସ୍ତା ହସ୍ପିଟାଲର ଆଉଟଡୋର, ଡାକ୍ତରଙ୍କ ଚାମ୍ବର, ଲେବରରୁମ୍‌, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡ, ମେଡିସିନ ଗୃହ ସହିତ ବିଭିନ୍ନ କାର୍ଯ୍ୟାଳୟରେ ଦୂଷିତ ପାଣି ପଶିଛି। ଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ହସ୍ପିଟାଲରେ ଜଳନିଷ୍କାସନର ସୁବିଧା ନ ଥିବାରୁ ନାଳନର୍ଦ୍ଦମାର ପାଣି ହସ୍‌ପିଟାଲ ଭିତରେ ପଶିଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ଅନେକ ଥର ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏନେଇ ଅଧିକାରୀ ମାନେ ସଚେତନ ନ ହେବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏଭଳି ଘଟଣା ଘଟିବା ସତ୍ତ୍ୱେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ ନ ଥିବାରୁ ରୋଗୀ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି।