ବର୍ଷା ପୂର୍ବରୁ ଡ୍ରେନ୍‌ କାମ ସାରିବାକୁ ତାଗିଦ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଚଳିତବର୍ଷ ପ୍ରଖର ରୌଦ୍ରତାପ ହେଉଥିବା ବେଳେ ମୌସୁମୀ ମଧ୍ୟ ବିଳମ୍ବରେ ଓଡ଼ିଶା ଛୁଇଁବାର ରହିଛି। ତେବେ ବର୍ଷା ଦିନେ ରାଜଧାନୀରେ ଡ୍ରେନ୍‌ ସମସ୍ୟା, ଜଳମଗ୍ନ ଅଞ୍ଚଳ ଆଦି ବିଭିନ୍ନ ସମସ୍ୟା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ଚିନ୍ତାର କାରଣ ପାଲଟିଥାଏ। ତେଣୁ ମୌସୁମୀ ବର୍ଷା ଆସିବା ପୂର୍ବରୁ ତୁରନ୍ତ ଡ୍ରେନ୍‌ ସଫା କାମ ସାରିବାକୁ ତାଗିଦ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଆସନ୍ତା ୭ଦିନ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନ୍‌ଗୁଡିକ ସଫା କରିବାକୁ ସମସ୍ତ ଏଜେନ୍ସିଙ୍କୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବିଏମ୍‌ସି ମୁଖ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ଆଲୋନଚା ହୋଇଥିଲା। କେତେକ ୱାର୍ଡରେ ଶତପ୍ରତିଶତ ଡ୍ରେନ ସଫା ହୋଇସାରି ଥିବାବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍‌ ସଫା ହୋଇସାରିଛି। ବାକିଥିବା ଡ୍ରେନଗୁଡିକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଏମ୍‌ସି ଅଞ୍ଚଳରେ ୭୭କିଲୋମିଟର ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ସେହିପରି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଶାଖା ଡ୍ରେନ ରହିଛି। ସେଗୁଡିକ ମଧ୍ୟରୁ ଅନେକ ସଫା ହୋଇସାରିଛି। ବାକିଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରିବା ସହ ବାହାରୁଥିବା ପଙ୍କକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୭ଦିନ ମଧ୍ୟରେ ଡ୍ରେନ ସଫା ନ କଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ବ୍ୟାରିକେଡ୍‌ ହୋଇ ନ ଥିବା ଡ୍ରେନ୍‌ ପାର୍ଶ୍ୱରେ ବ୍ୟାରିକେଡ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ଆସୁଥିବାରୁ ଡ୍ରେନ୍‌ ସମେତ ପରିମଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ଭୁବନେଶ୍ୱରରେ ୫୭ଟି ରଥ ବାହାରିବା ପାଇଁ ନିଷ୍ପତ୍ତି ହୋଇଛି ା ସେଥିପାଇଁ ଡ୍ରେନ ସହ ପରିମଳ ବ୍ୟବସ୍ଥାରେ ଯେପରି କୌଣସି ବ୍ୟତିକ୍ରମ ନ ହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ମଙ୍ଗଳବାରଠାରୁ କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ ଓ ରାସ୍ତା ରହିଛି, ତାହାକୁ ମାପିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ୱାର୍ଡର କର୍ପୋରେଟର, ସମ୍ପୃକ୍ତ ଏଜେନ୍ସି ଏବଂ ସାନିଟାରି ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ। ଦୁଇ ଦିନ ମଧ୍ୟରେ ରାସ୍ତା ଓ ଡ୍ରେନ ମାପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ମୌସୁମୀ ଆସିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ବିଏମ୍‌ସି ତୁରନ୍ତ କାମ ଶେଷ କରିବା ପାଇଁ ପଦକ୍ଷେପ ନେଇଥିବାବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ କରିବାରେ ବିଳମ୍ବ କରୁଛି। ତେଣୁ ବିଏମ୍‌ସିର କାମ ଶେଷହେବା ପରେ ଆବଶ୍ୟକ ପଡ଼ିଲେ ବିଏମ୍‌ସି ଡ୍ରେନ୍‌ ସଫେଇ କାର୍ଯ୍ୟରେ ପୂର୍ତ୍ତ ବିଭାଗକୁ ସହାୟତା କରିବ ବୋଲି ମେୟର କହିଛନ୍ତି। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ କର୍ପୋରେଟର, ଡେପୁଟି କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର, ଏଜେନ୍ସିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share