ହୀରାକୁଦର ୨୦ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୫ା୮(ଶୁଭାଶିଷ ପାଢୀ)ହୀରାକୁଦ ଡ୍ୟାମ୍‌ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବାମପାର୍ଶ୍ୱର ୧୩ ଓ ଡାହାଣପାର୍ଶ୍ୱର ୭ ଗେଟ୍‌ ଖୋଲାଯାଇଛି। ଫଳରେ ଏବେ ମୋଟ ୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମ୍‌ର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାତି ୯ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୨୧.୭୫ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ
୪ ଲକ୍ଷ ୩୮ ହଜାର ୨୮୦ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ସ୍ପିଲ୍‌ୱେ, ପାୱାର ଚ୍ୟାନେଲ, କୃଷି, ଶିଳ୍ପକୁ ମୋଟ ୩ଲକ୍ଷ ୫୫ ହଜାର ୪୩୧ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ତଳମୁଣ୍ଡ ବେଲଗଁାରେ ୧୮ହଜାର ୫୦୦, ପର୍ଥଲାରେ ୬୫ ହଜାର ୩୦୦, ଖଇରମାଲରେ ୩ ଲକ୍ଷ ୪୦ ହଜାର, ବରମୂଳାରେ ୨ଲକ୍ଷ ୬୨ହଜାର, ମୁଣ୍ଡୁଳୀରେ ୩ ଲକ୍ଷ ୧୮ ହଜାର ୩୨ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାରରେ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ଫୁଟ୍‌ ରହିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ପାଖାପାଖି ୬୨୨ଫୁଟ୍‌ରେ ପହଞ୍ଚତ୍ଛି। ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ପ୍ରତି ସେକେଣ୍ଡରେ ଯେଉଁ ପରିମାଣରେ ଜଳ ପ୍ରବେଶ କରୁଛି ଶୀଘ୍ର ଜଳଭଣ୍ଡାର କ୍ଷମତା ନିକଟତର ହେବା ଆଶା କରାଯାଉଛି। ଜଳ ପରିଚାଳନା ପାଇଁ ଅଧିକ ଗେଟ୍‌ ଖୋଲାଯାଇପାରେ ବୋଲି କୁହାଯାଉଛି।

Share