ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟୟ, ଲହଡ଼ି ମାରୁଛି ବର୍ଷା ପାଣି

କୋକସରା,୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଲଗାଣ ବର୍ଷା ଯୋଗୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ମୁକୁଳା ଡ୍ରେନରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାକଡ଼ରେ ଥିବା ଦୋକାନ ଆଗରେ ଲହଡ଼ି ମାରୁଛି। ଏପରି କିଛି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତରେ।

କୋକସରା ବ୍ଲକ ମୁଖ୍ୟାଳୟ ହୋଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିବାରୁ ମୁକୁଳା ଡ୍ରେନ୍‌ର ବର୍ଷାପାଣି ନିଷ୍କାସନ ହୋଇ ନ ପାରି ମୁଖ୍ୟ ରାସ୍ତାରେ ଲହଡ଼ି ମାରୁଛି। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋକସରା ପଞ୍ଚାୟତ ପକ୍ଷରୁ ବର୍ଷାଦିନ ପୂର୍ବରୁ ଡ୍ରେନ୍‌ଗୁଡ଼ିକ ସଫା କରାଯାଉ ନ ଥିବାରୁ ଅନେକ ସ୍ଥାନରେ ଡ୍ରେନ ପୋତି ହୋଇପଡ଼ିଛି। ଫଳରେ ବର୍ଷା ଦିନରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଡ୍ରେନ୍‌ର ଦୂଷିତ ପାଣି ବୋହୁଛି। ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଦୋକାନ, ବଜାର, ହୋଟେଲ ରହିଥିବା ବେଳେ ବର୍ଜ୍ୟବସ୍ତୁକୁ ଡ୍ରେନ୍‌ରେ ପକାଇବା ଫଳରେ ଡ୍ରେନ୍‌ ପୋତି ହେଉଥିବା ମଧ୍ୟ ଏହାର ମୁଖ୍ୟ କାରଣ ସାଜିଛି। ପଞ୍ଚାୟତ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଦୋକାନୀମାନେ ସଚେତନ ହେଉନାହାନ୍ତି। ଏନେଇ କୋକସରା ପିଇଓ ଭବିଷ୍ୟ ପଟେଲଙ୍କ ପ୍ରତିକ୍ରିୟା ନେବାରୁ ଦୋକାନୀମାନଙ୍କୁ ବାରମ୍ବାର ପଞ୍ଚାୟତ ପକ୍ଷରୁ କହିବା ସତ୍ତ୍ୱେ ମଇଳା ଆବର୍ଜନାକୁ ଡ୍ରେନରେ ପକାଉଛନ୍ତି। ଫଳରେ ଏଭଳି ସମସ୍ୟା ଦେଖାଦେଇଛି। ଆଗକୁ ବର୍ଷା କମିବା ପରେ ପୁଣି ଡ୍ରେନ୍‌ ସଫା କରାଯିବ ବୋଲି କହିଛନ୍ତି।