ପୂର୍ତ୍ତ ବିଭାଗରେ ମନଇଚ୍ଛା କାର୍ଯ୍ୟ, ଭୁଶୁଡ଼ିପଡୁଛି ଡ୍ରେନ୍‌

ଫୁଲବାଣୀ, ୩ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନଇଚ୍ଛା କାର୍ଯ୍ୟ। ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଉଛି। ନୂତନ ଭାବେ ହୋଇଥିବା ଡ୍ରେନ ୬ ମାସ ଯାଉନି, ଭୁଶୁଡି ପଡୁଛି। ଖାଲି ଗୋଟିଏ ସ୍ଥାନରେ ନୁହେଁ, ଅନେକ ସ୍ଥାନରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିତ୍ବା ଡ୍ରେନ ସବୁ ଭୁଶୁଡି ପଡୁଛି। ଯନ୍ତ୍ରୀଙ୍କୁ ପଚାରିଲେ ଖାମଖିଆଲ ଭାବେ ଉତ୍ତର ଦେଉଛନ୍ତି। ହଁ ଭାଙ୍ଗି ଯାଇଛି। ପ୍ରକୃତରେ ଯନ୍ତ୍ରୀଙ୍କ ନିର୍ମାଣ କାର୍ଯ୍ୟରେ ଦକ୍ଷତାର ଅଭାବ ନା ଠିକାଦାର ପ୍ରୀତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିନରେ ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ ଆଦି ବ୍ଲକ ରହିଛି। ଗତ ୬ ମାସରୁ ଊର୍ଦ୍ଧ୍ୱ ହେବ ଏଠାରେ କେହି ଏସ୍‌ଡିଓ ନ ଥିଲେ। ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଯନ୍ତ୍ରୀ ଶାନ୍ତନୁ କୁମାର ସ୍ବାଇଁ ସବୁ ବୁଝୁଥିଲେ। ଠିକାଦାରମାନଙ୍କୁ ଦେଢ଼ ଲକ୍ଷରୁ ୫ ଲକ୍ଷ ଯାଏ କାମ ସେ ବାଣ୍ଟିଥିଲେ। ଏଥିରେ ଅଧିକାଂଶ କାମ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଥିଲା। ଯଦି କେହି ଏହାକୁ ନିରୀକ୍ଷଣ କରିବ, ସେଠାରେ ଆଦୌ ଡ୍ରେନ୍‌ର ଆବଶ୍ୟକତା ହିଁ ନ ଥିଲା। କାରଣ ଦୀର୍ଘ ବର୍ଷ ଧରି ବର୍ଷା ପାଣି ରାସ୍ତାର କିଛି କ୍ଷତି କରୁ ନ ଥିଲା। ଯାହାବି ହେଉ, ଠିକାଦାରଙ୍କୁ ତ କାମ ଦିଆଯିବ। ସେମାନେ କାମ ନ କଲେ ବିଭାଗ କିପରି ଚାଲିବ। ତେଣୁ ଦୃରଦୃଷ୍ଟି ସମ୍ପନ୍ନ ଭାବେ କାମ ବାଣ୍ଟି ଦିଆଗଲା। ଅଧିକାଂଶ ଠିକାଦାର ଆବଶ୍ୟକ ମୁତାବକ ପାଣି ନିର୍ମାଣ ହୋଇଥିବା କଂକ୍ରିଟରେ ଦେଲେ ନାହିଁ। ସେପଟେ ଯନ୍ତ୍ରୀ କାମ ଦେଖିତ୍ବାକୁ ବି ଗଲେନି। ଠିକାଦାର ମନଇଚ୍ଛା କାମ କରି ସାରି ଦେଲେ। କିଛି ଦିନ ପରେ ବିଲ ବି ନେଇଗଲେ। ନିର୍ମାଣ ହେବାର ୨/୩ ମାସ ପରେ କଂକ୍ରିଟ ସବୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଡ୍ରେନ ଭିତରକୁ ପଡିଲା। ଏହାକୁ ଦେଖି ଜଣେ ସାଧାରଣ ବ୍ୟକ୍ତି ବି କହିବ, ଆରେ ଏଠାରେ ତ ଆଦୌ ଡ୍ରେନର ଆବଶ୍ୟକତା ନ ଥିଲା। କାହିଁକି ନିର୍ମାଣ ହେଲା।
ଫୁଲବାଣୀ-ଗୋଚ୍ଛାପଡା ରାସ୍ତାର କଟ୍ରିଙ୍ଗିଆ ଛକର ଠିକ୍‌ ୨୦୦ରୁ ୩୦୦ ମିଟର ପଛରୁ ରାସ୍ତା ପାର୍ଶ୍ୱରେ ଡ୍ରେନ ସବୁ ଖଣ୍ଡ ବିଖଣ୍ଡିତ ହୋଇ ପଡିଛି। କଟ୍ରିଙ୍ଗିଆ ମେଡିକାଲ ପାଖରେ ବି ଡ୍ରେନ ଭାଙ୍ଗିଛି। ସେହିପରି ମୁସେଲିପାଙ୍ଗାରୁ-ଗୋଚ୍ଛାପଡା ରାସ୍ତାରେ ବି ସମାନ ଅବସ୍ଥା। ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତାର ବିଶିପଡା ଛକ ପାଖରେ ବି ସେହି ଅବସ୍ଥା। ଏ ସଂକ୍ରାନ୍ତରେ ଯନ୍ତ୍ରୀ ସ୍ବାଇଁଙ୍କୁ ପଚାରିବାରୁ ଖରାଦିନେ କାମ ହେଲା। ପାଣିର ଅଭାବ। ବର୍ଷା ହେବାରୁ ପାଣି ଯୋରରେ ଆସି ଭାଙ୍ଗି ଦେଲା ବୋଲି କହିଛନ୍ତି। ପ୍ରଶ୍ନ ଉଠୁଛି କାମ ପୂର୍ବରୁ କ’ଣ ଯନ୍ତ୍ରୀ ଏ କଥା ଜାଣି ନ ଥିଲେ, ନା ଜାଣି ଅଜଣା ହୋଇଥିଲେ।

Share