ତିରୁପତି,୨୩ା୮: ଭାରତର ସବୁଠୁ ଧନୀ ମନ୍ଦିର ଭାବେ ପ୍ରସିଦ୍ଧ ଆନ୍ଧ୍ରପ୍ରଦେଶ ତିରୁପତିର ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ଶୁକ୍ରବାର ୨୫ କେ.ଜି. ଓଜନର ସୁନା ଗହଣା ପିନ୍ଧି ୨ ପୁରୁଷ ଓ ଜଣେ ମହିଳା ଭକ୍ତ ଆସିଥିଲେ। ମହାରାଷ୍ଟ୍ରର ପୁଣେରୁ ଆସିଥିବା ଏହି ଶ୍ରଦ୍ଧାଳୁଙ୍କ ସହ ଜଣେ ଛୋଟ ପିଲା ଥିବା ଦେଖିବାକୁ ମିଳିଥିଲା। ସେମାନେ ପିନ୍ଧିଥିବା ସୁନାର ଦାମ୍ ୧୮୦ କୋଟି ଟଙ୍କା ହେବ।
ସେମାନେ ଅନେକ ସୁନା ଚେନ୍, ସୁନାର ସନ୍ଗ୍ଲାସ୍, ଚୁଡ଼ି, ହାର ଓ ଆହୁରି ଅନେକ ଅଳଙ୍କାର ପିନ୍ଧି ମନ୍ଦିରକୁ ଆସିଥିଲେ। ମନ୍ଦିରରେ ପୂଜା କଲାବେଳେ ପୋଲିସ ସେମାନଙ୍କୁ ଜଗିରହିଥିଲେ। ପାହାଡ଼ ଉପରେ ଥିବା ଭେଙ୍କଟେଶ୍ୱର ମନ୍ଦିରକୁ ପ୍ରତ୍ୟହ ୭୫ରୁ ୯୦ ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଭେଙ୍କଟେଶ୍ୱରଙ୍କୁ ବିଷ୍ଣୁଙ୍କ ଅବତାର କୁହାଯାଇଥାଏ, ଯିଏକି କଳିଯୁଗରେ ମାନବ ସମାଜକୁ ଅସୁବିଧାରୁ ରକ୍ଷା କରିବା ଓ ନ୍ୟାୟ ଦେବା ପାଇଁ ଆବିର୍ଭାବ ହୋଇଥିବା ବିଶ୍ୱାସ କରାଯାଏ।
ଜୁଲାଇରେ ମନ୍ଦିର ହୁଣ୍ଡିରୁ ୧୨୫ କୋଟି ଟଙ୍କା ରୋଜଗାର ହୋଇଥିବା ଏହାର ପରିଚାଳନା ଦାୟିତ୍ୱରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମଳ ରାଓ କହିଛନ୍ତି। ୫ ହଜାର ବର୍ଷ ତଳୁ ଭେଙ୍କଟେଶ୍ୱର ବାଲାଜୀ ସେଠାରେ ପୂଜା ପାଇଆସୁଥିବା କୁହାଯାଏ। ୧୬.୨ ଏକର ଜମି ଉପରେ ଏହି ସ୍ବର୍ଣ୍ଣଖଚିତ ମନ୍ଦିର ରହିଛି।