Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ…

ନୂଆଦିଲ୍ଲୀ, ୨୪।୬ : ଭାଜପା ନେତୃତ୍ୱାଧୀନ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦ ଭବନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ରୌପଦୀ ମୁର୍ମୁ ୪ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରଥମ ନାମାଙ୍କନ ସେଟ୍‌ରେ ପ୍ରଧାନମନ୍ତ୍ରୀ ପ୍ରସ୍ତାବକ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ଅନୁମୋଦକ ରହିଛନ୍ତି। ଏହି ସେଟ୍‌ରେ ଭାଜପା ସଂସଦୀୟ ବୋର୍ଡ ସଦସ୍ୟ, କେନ୍ଦ୍ରୀୟମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କ ନାମ ରହିଛି। ଏହି ସେଟ୍‌ରେ ୬୦ ଜଣ ପ୍ରସ୍ତାବକ ଏବଂ ୬୦ ଜଣ ଅନୁମୋଦକ ଏଭଳି ୧୨୦ଜଣଙ୍କ ନାମ ରହିଛି।

ଦ୍ୱିତୀୟ ସେଟ୍‌ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରସ୍ତାବକ ରହିଛନ୍ତି। ଏହି ସେଟ୍‌ରେ ୬୦ ଜଣ ପ୍ରସ୍ତାବକ ଏବଂ ୬୦ ଜଣ ଅନୁମୋଦକ ରହିଛନ୍ତି। ଏହି ସେଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱ ସରମା ଏବଂ ଅନ୍ୟ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି।

ତୃତୀୟ ସେଟ୍‌ ହରିୟାଣା ଏବଂ ହିମାଚଳପ୍ରଦେଶ ବିଧାୟକ ପ୍ରସ୍ତାବକ ଏବଂ ଅନୁମୋଦକ ରହିଛନ୍ତି । ଚତୁର୍ଥ ସେଟ୍‌ ଗୁଜରାଟ ବିଧାୟକମାନେ ପ୍ରସ୍ତାବକ ଏବଂ ଅନୁମୋଦକ ରହିଛନ୍ତି।

 

Share