ଭୁବନେଶ୍ୱର,୨୩ା୬(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ଗୁରୁବାର ସକାଳ ୯.୪୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଛନ୍ତି।
ଏମ୍ସିଏଲ ଗେଷ୍ଟ ହାଉସ୍ରୁ ଜେଡ୍ ପ୍ଲସ ସୁରକ୍ଷାରେ ଯାଇ ଆଜି ସକାଳେ ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ। ତାଙ୍କୁ ସ୍ବାଗତ କରିବାକୁ ପାରମ୍ପରିକ ନାଚଗୀତରେ ବିମାନବନ୍ଦର ଦୁଲୁକି ଉଠିଥିଲା। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମୀ, ଭାଜପା, ନେତା ପ୍ରମୁଖ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କ ସୁରକ୍ଷା ନିମନ୍ତେ ଜେଡ୍ ପ୍ଲସ ସିକ୍ୟୁରିଟି ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବିମାନବନ୍ଦର ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶୁକ୍ରବାର ଦିଲ୍ଲୀରେ ସେ ନାମାଙ୍କନପତ୍ର ଦାଖଲ କରିବେ।