ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ଭାରତର ଗଣତନ୍ତ୍ର ପାଇଁ ଏକ ଐତିହାସିକ ଅବସର। ଅତ୍ୟନ୍ତ ଗରିବ ପୃଷ୍ଠଭୂମିର ଜନଜାତିମାନଙ୍କଠାରୁ ମଧ୍ୟ ସବୁଠୁ ପଛୁଆ ସାନ୍ତାଳୀ ପରିବାରରୁ ଆସିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ସଂଘର୍ଷ ଏବଂ କଠିନ ପରିଶ୍ରମ ବଳରେ ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। ଏହା ସବୁ ଦେଶବାସୀଙ୍କ ସହିତ ଜନଜାତି ସମାଜ ପାଇଁ ମଧ୍ୟ ଗୌରବମୟ ମୁହୂର୍ତ୍ତ । ଏପରି ସମାଜର କେହି ଜଣେ ଦେଶର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ଏହି ବାସ୍ତବତାକୁ ଦେଖିବା ଲାଗି ଦେଶକୁ ସାତ ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି । ଆଜି ଆମ ଗଣତନ୍ତ୍ର ଏ ପ୍ରଶ୍ନଚିହ୍ନଠାରୁ ମୁକ୍ତ ହୋଇସାରିଛି ।
ଦେଶର ମୋଟ ଜନସଂଖ୍ୟାରେ ଆଦିବାସୀ ସମାଜର ଯୋଗଦାନ ପ୍ରାୟ ୯ ପ୍ରତିଶତ। ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ଏ ସମାଜର ଯୋଗଦାନ ଏବଂ ବଳିଦାନ ଅବିସ୍ମରଣୀୟ। କିନ୍ତୁ ସ୍ବାଧୀନତା ପର ସରକାରଙ୍କ ଦ୍ୱାରା ଦୀର୍ଘ ସମୟ ଧରି ଜନଜାତି ସମାଜକୁ ବିକାଶର ମୁଖ୍ୟଧାରା ସହ ଯୋଗ ଏବଂ ସେମାନଙ୍କ ସାମାଜିକ ଓ ଆର୍ଥିକ ଉତ୍ଥାନ ସହିତ ରାଜନୈତିକ ପ୍ରତିନିଧିତ୍ୱ ପ୍ରଦାନ କରିବା ଲାଗି ଉପଯୁକ୍ତ ପ୍ରୟାସ କରାଯାଇ ନ ଥିଲା।
ଅଟଳଜୀଙ୍କ ନେତୃତ୍ୱରେ ପ୍ରଥମ ଥର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ଗଠନ ହେବା ପରେ ଏହି ସମାଜର ଆଶା ଓ ଆକାଂକ୍ଷାକୁ ବୁଝିବା ଲାଗି ଗମ୍ଭୀର ପ୍ରୟାସ ଆରମ୍ଭ ହୋଇଥିଲା। ଜନଜାତି ସମାଜର ଉତ୍ଥାନ ଏବଂ ସେମାନଙ୍କ ବିକାଶ ତଥା ସମୃଦ୍ଧି ଲାଗି ୧୯୯୯ରେ ଅଟଳଜୀଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଏକ ଭିନ୍ନ ମନ୍ତ୍ରଣାଳୟ ଗଠନ କରାଯାଇଥିଲା । ଏହାବ୍ୟତୀତ ୨୦୦୩ରେ ଅଟଳଜୀଙ୍କ ସରକାର ହିଁ ୮୯ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପ୍ରତିଷ୍ଠା କରିବା ସହ ଆଦିବାସୀଙ୍କ କଲ୍ୟାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଅଟଳଜୀ ଜନଜାତି ସମାଜର ଉତ୍ଥାନ ଏବଂ ସମ୍ମାନ ପାଇଁ ଯେଉଁ କାମ ଆରମ୍ଭ କରିଥିଲେ, ଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହାକୁ ଆହୁରି ସଶକ୍ତ ଭାବେ ଆଗେଇ ନେବା ପାଇଁ ପଦକ୍ଷେପ ନେଇଛନ୍ତି ।
‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ’ର ସଂକଳ୍ପକୁ ନେଇ ଆଗକୁ ବଢୁଥିବା ମୋଦି ସରକାର ନିଜ ନୀତି ଓ ନିର୍ଣ୍ଣୟରେ ଜନଜାତି ସମୁଦାୟର ସବୁ ବର୍ଗଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଅନେକ ଦୂରଦର୍ଶୀ ପଦକ୍ଷେପ ଗ୍ରହଣ କରିଛନ୍ତି । ମୋଦିଜୀଙ୍କ ୮ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜନଜାତିଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ପ୍ରାୟତଃ ସବୁ ଯୋଜନାରେ ୨୦୧୩-୧୪ ତୁଳନାରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜନଜାତି ଉପଯୋଜନାର ବଜେଟକୁ ୨୦୨୧-୨୨ ଆର୍ଥିକବର୍ଷରେ ୨୧ ହଜାର କୋଟି ଟଙ୍କାରୁ ଚାରି ଗୁଣା ବୃଦ୍ଧି କରି ୮୬ ହଜାର କୋଟି ଟଙ୍କା କରିଦିଆଯାଇଛି। ଏହା ଅନ୍ତର୍ଗତ ମୋଦି ସରକାରଙ୍କ ଦ୍ୱାରା ଜନଜାତି ଭାଇଭଉଣୀଙ୍କ ପାଇଁ ଜଳ ଜୀବନ ମିଶନ ଅଧୀନରେ ୧.୨୮ କୋଟି ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ, ୧.୪୫ କୋଟି ଶୌଚାଳୟ ନିର୍ମାଣ, ୮୨ ଲକ୍ଷ ଆୟୁଷ୍ମାନ କାର୍ଡ ବିତରଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩୮ ଲକ୍ଷ ଗୃହ ନିର୍ମାଣ ଭଳି ଅନେକ କାର୍ଯ୍ୟ କରାଯାଇଛି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ବଜେଟ ୨୭୮ କୋଟି ଟଙ୍କାରୁ ବୃଦ୍ଧି କରି ୧୪୧୮ କୋଟି ଟଙ୍କା ଏବଂ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ନିର୍ଦ୍ଧାରିତ ଛାତ୍ରବୃତ୍ତି ବଜେଟ ୯୭୮ କୋଟିରୁ ବୃଦ୍ଧି କରି ୨୫୪୬ କୋଟି ଟଙ୍କା କରି ଦିଆଯାଇଛି। ଏହାବ୍ୟତୀତ ଉଦ୍ୟମିତା ବିକାଶ ଉଦ୍ଦେଶ୍ୟରେ ନୂଆ ଯୋଜନାରେ ୩୨୭ କୋଟି ଟଙ୍କାର ବଜେଟରେ ୩୧୧୦ ବନ ଧନ ବିକାଶ କେନ୍ଦ୍ର ଏବଂ ୫୩ ହଜାର ବନ ଧନ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରାଯାଇଛି।
ଅଧିକାଂଶ ଖଣି ପ୍ରଭାବିତ କ୍ଷେତ୍ରରେ ଜନଜାତି ଲୋକମାନେ ରହୁଥିଲେ ବି ସେମାନଙ୍କୁ ଖଣିରୁ ହେଉଥିବା ଆୟରୁ କିଛି ଭାଗ ମିଳୁ ନ ଥିଲା। ମୋଦି ସରକାର ଜିଲା ଖଣିଜ ପାଣ୍ଠି ପ୍ରତିଷ୍ଠା କଲେ ଏବଂ ଏହି ବିସଙ୍ଗତିକୁ ଦୂର କଲେ । ଏହାଫଳରେ ଖଣିରୁ ହେଉଥିବା ଆୟର ୩୦% ସ୍ଥାନୀୟ ବିକାଶରେ ଖର୍ଚ୍ଚ ହୋଇପାରିଲା। ଏବେ ସୁଦ୍ଧା ଏହି ପାଣ୍ଠି ଜରିଆରେ ୫୭ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ସଂଗୃହୀତ ହୋଇଛି । ଜନଜାତି କ୍ଷେତ୍ରର ବିକାଶରେ ଏହି ଅର୍ଥ ବିନିଯୋଗ ହେଉଛି। ଏହାବ୍ୟତୀତ ଜନଜାତି ଉତ୍ପାଦର ବିପଣନ ଲାଗି ଗଠନ ହୋଇଥିବା ଟ୍ରାଇଫେଡ୍ ପରିଚାଳିତ ‘ଟ୍ରାଇବ୍ସ ଇଣ୍ଡିଆ ଆଉଟଲେଟ’ ସଂଖ୍ୟା ୨୯ରୁ ବୃଦ୍ଧି ପାଇ ୧୧୬ରେ ପହଞ୍ଚିଛି।
ଜନଜାତି ସମାଜର ସାମାଜିକ-ଆର୍ଥିକ ଉତ୍ଥାନ ସହିତ ସେମାନଙ୍କ ସାଂସ୍କୃତିକ ଐତିହ୍ୟକୁ ସମ୍ମାନପୂର୍ବକ ସର୍ବସମ୍ମୁଖକୁ ଆଣିବା ଲାଗି ମୋଦି ସରକାର ପଦକ୍ଷେପ ନେଉଛନ୍ତି। ଜନଜାତି କଳା, ସାହିତ୍ୟ, ପାରମ୍ପରିକ ଜ୍ଞାନ ଏବଂ କୌଶଳ ଭଳି ଜନଜାତି ବିଷୟକୁ ଜ୍ଞାନ-ବିଜ୍ଞାନର ଅଧ୍ୟୟନ-ଅଧ୍ୟାପନାରେ ସମ୍ମିଳିତ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଜନଜାତି ନାୟକ-ନାୟିକାଙ୍କ ବୀରଗାଥାକୁ ସାମ୍ନାକୁ ଆଣିବା ଏବଂ ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଯୋଗଦାନକୁ ରେଖାଙ୍କିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୧୫ ନଭେମ୍ବରକୁ ଏବେ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ସାରା ଦେଶରେ ୨୦୦ କୋଟି ଟଙ୍କା ବଜେଟରେ ଜନଜାତି ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି। ମୋଦିଜୀ ଅଧିକାଂଶ ସମୟରେ ନିଜ ଭାଷଣରେ ମଧ୍ୟ ଜନଜାତି ନାୟକ-ନାୟିକାଙ୍କ ଯୋଗଦାନ ବିଷୟରେ ଆଲୋକପାତ କରିବା ସହ ସେମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ଆସିଛନ୍ତି। ମୋଦି ସରକାର ଜନଜାତି ସମାଜର ବିକାଶ ଏବଂ ସମ୍ମାନ ପାଇଁ ମନ, ବଚନ ଓ କର୍ମ ସହିତ ସମ୍ପୂର୍ଣ୍ଣ ସମର୍ପିତ ହୋଇ ଯେ କାର୍ଯ୍ୟ କରୁଛନ୍ତି ଏଥିରୁ ତାହାର ପ୍ରମାଣ ମିଳୁଛି।
ଭାରତରେ କଶ୍ମୀରଠାରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳ ପର୍ଯ୍ୟନ୍ତ ଆମ ଜନଜାତି ଭାଇଭଉଣୀମାନେ ରହୁଛନ୍ତି। ବିଶେଷକରି ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟରେ ଅଧିକ ସଂଖ୍ୟାରେ ଜନଜାତି ସମୁଦାୟ ରହିଥାନ୍ତି। ସ୍ବାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଂଗ୍ରେସ କେବଳ ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଥିଲା। ଅଧିକ ଜନଜାତି ସମୁଦାୟ ରହୁଥିବା ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରକୁ ମଧ୍ୟ କଂଗ୍ରେସ ଲଗାତର ଅବହେଳା କରିଆସିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ସମ୍ଭାଳିବା ପରେ ପରେ ‘ଆକ୍ଟ ଇଷ୍ଟ’ ନୀତି ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଗଲା। ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଦେଶ ବିକାଶର ମୁଖ୍ୟଧାରା ସହ ଯୋଡ଼ି ସେମାନଙ୍କୁ ଜାତୀୟ ପ୍ରଗତିରେ ସହଭାଗୀ କରାଯାଇଛି। ଆଜି ଉତ୍ତର-ପୂର୍ବାଞ୍ଚଳରେ ଯେତେବେଳେ ଶାନ୍ତି ସ୍ଥାପନ ହେବା ସହ ନିରନ୍ତର ବିକାଶ ଜାରି ରହିଛି, ଏହାର ସବୁଠୁ ବେଶି ଲାଭ ଆମ ଆଦିବାସୀ ଭାଇଭଉଣୀମାନଙ୍କୁ ମିଳୁଛି ।
ବହୁ ଦଶନ୍ଧି ଧରି ଏ ଜନଜାତି ସମାଜ ପାଇଁ ଦାରିଦ୍ର୍ୟ ସହ ଅସୁରକ୍ଷା ସବୁଠୁ ବଡ଼ ବିପଦ ଥିଲା। ଏହାର ଫାଇଦା ଉଠାଇ ଅନେକ ଜନଜାତି କ୍ଷେତ୍ରରେ ବାମପନ୍ଥୀ ଉଗ୍ରବାଦୀମାନେ ସେମାନଙ୍କର ସ୍ଥିତି ସୁଦୃଢ଼ କରି ନେଇଥିଲେ। ଏମାନେ କେବଳ ଆମ ଆଦିବାସୀ ଯୁବକମାନଙ୍କୁ ବାଟବଣା କରି ନ ଥିଲେ ବରଂ କ୍ଷେତ୍ରୀୟ ବିକାଶରେ ବାଧା ସୃଷ୍ଟି କରିଥିଲେ। କିନ୍ତୁ ମୋଦି ସରକାର ଆସିବାର ୮ବର୍ଷ ମଧ୍ୟରେ ଏ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ଉଗ୍ରବାଦ ଏବଂ ନକ୍ସଲବାଦ ଉପରେ ଜିରୋ ଟଲରାନ୍ସ ବା ଶୂନ୍ୟ ସହନଶୀଳତା ନୀତି କାରଣରୁ ଏସବୁର ପରିଧି ସଙ୍କୁଚିତ ହୋଇଛି। ନକ୍ସଲବାଦର ପ୍ରଭାବ ଏବେ ପ୍ରାୟତଃ ନ ଥିବା ବେଳେ ପ୍ରଭାବିତ କ୍ଷେତ୍ରରେ ଶାନ୍ତି ଏବଂ ବିକାଶର ପରିବେଶ ସୃଷ୍ଟି ହୋଇଛି। ଲୋକମାନଙ୍କ ମଧ୍ୟରେ ସୁରକ୍ଷା ଭାବନା ବଢ଼ିଛି । କହିବା ବାହୁଲ୍ୟ ଯେ, ଏ ପରିବର୍ତ୍ତନର ଲାଭ ଏ କ୍ଷେତ୍ରରେ ରହୁଥିବା ଜନଜାତି ସମାଜର ଲୋକମାନଙ୍କୁ ମିଳୁଛି ଓ ସେମାନେ ଖୁବ୍ ସହଜରେ ବିକାଶର ମୁଖ୍ୟଧାରାରେ ସାମିଲ ହେଉଛନ୍ତି ।
ଜନଜାତି ସମାଜର ଉତ୍ଥାନ, ସେମାନଙ୍କ ପାଇଁ ଗରିମାପୂର୍ଣ୍ଣ ଜୀବନ, ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ, ସେମାନଙ୍କ ରାଜନୈତିକ ଭାଗୀଦାରି ସୁନିଶ୍ଚିତ କରିବା ଭାଜପା ବିଚାରଧାରାର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛି। ଭାଜପା ସବୁବେଳେ ଜନଜାତି ସମାଜର ପ୍ରଗତି ପାଇଁ ସଂକଳ୍ପବଦ୍ଧ। ଆଜି ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଯେତେବେଳେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାର ସମୟ ଆସିଛି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସମର୍ଥନରେ ଦେଶକୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରୂପରେ ପ୍ରଥମ ଜନଜାତି ରାଷ୍ଟ୍ରପତି ମିଳିଛନ୍ତି। ଦେଶର ସବୁଠୁ ନିମ୍ନତମ ସୋପାନରେ ରହିଥିବା ସମାଜରୁ ଆସିଥିବା ଶ୍ରୀମତୀ ମୁର୍ମୁ ଆଜି ଯେତେବେଳେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ଏହା ନିଶ୍ଚିତ ଭାବେ ସାରା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଜନଜାତିଙ୍କ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସଂକଳ୍ପର ଏହା ନିଶ୍ଚିତ ଭାବେ ଏକ ବିରଳ ଉଦାହରଣ।