ଚାନ୍ଦିପୁର ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍‌

ବାଲେଶ୍ୱର ଅଫିସ, ୧୪।୯: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା(ଆଇଏସ୍‌ଆଇ)କୁ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ। ମୁଖ୍ୟତଃ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରୁଥିଲେ ଡିଆର୍‌ଡିଓର କିଛି କର୍ମଚାରୀ (ଚୁକ୍ତିଭିତ୍ତିକ)। ଏହା ଜଣାପଡ଼ିବା ପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଗୋଇନ୍ଦା ସଂସ୍ଥା (ଆଇବି)ର ୨ ଜଣ ଅଧିକାରୀ ୩ ଦିନ ପୂର୍ବେ ବାଲେଶ୍ୱର ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲେ।

ଡିଆରଡିଓର ୮ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇ ସ୍ଥାନୀୟ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ ପଚରାଉଚୁରା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିଛି। ଏହି ଘଟଣାରେ ମଙ୍ଗଳବାର ୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ଜଣ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌।

ଏ ନେଇ ଚାନ୍ଦିପୁର ଥାନାରେ ଆଇପିସି ଦଫା ୧୨୦(ବି), ୧୨୧(ଏ), ୩୪ ଏବଂ ଅଫିସିଆଲ୍‌ ସିକ୍ରେଟ ଆକ୍ଟର ଦଫା ୩, ୪ ଓ ୫ରେ ଏକ ମାମଲା (ନଂ. ୭୬/୨୧) ରୁଜୁ କରାଯାଇ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ତଥା ଅଖଣ୍ଡତା ଉପରେ ପ୍ରଭୂତ କ୍ଷତି ଘଟାଇବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ନାମ ଓ ଅଧିକ ତଥ୍ୟ ପ୍ରକାଶ କରିବାକୁ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମନା କରିଛନ୍ତି।

Share