ରାଜ୍ୟରେ ୭ ଅକ୍ସିଜେନ ପ୍ଲାଣ୍ଟ କରିବ ଡିଆର୍‌ଡିଓ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ହେବ। ଏସବୁ ପ୍ଲାଣ୍ଟ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆର୍‌ଡିଓ) କରିବ। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ଏହି ଅକ୍ସିଜେନ ପ୍ଲାଣ୍ଟ ହେବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଛି। କଟକର ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ପରିସରରେ ଗୋଟେ ହେବାକୁ ଥିବାବେଳେ ବାକି ୬ ଜିଲାଗୁଡ଼ିକର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବ। ଏନେଇ ମଙ୍ଗଳବାର ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଓଡ଼ିଶା ବ୍ରାଞ୍ଚର ଚିଫ୍‌ ଜେନେରାଲ ମ୍ୟାନେଜର ଆର୍‌.ପି ପଣ୍ଡା ସୂଚନା ଦେଇଛନ୍ତି। ଅକ୍ସିଜେନ ପ୍ଲାଣ୍ଟର କେବଳ ସିଭିଲ ଓ ଇଲେକ୍ଟ୍ରିକାଲ କାର୍ଯ୍ୟ ଏନ୍‌ଏଚ୍‌ଏଆଇ କରିବ। ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ସେ କହିଛନ୍ତି। ଏହି ପ୍ଲାଣ୍ଟରୁ ଅକ୍ସିଜେନ ହସ୍ପିଟାଲକୁ ପାଇପ୍‌ ମାଧ୍ୟମରେ ଯୋଗାଣ କରାଯିବ। ସୂଚନାଯୋଗ୍ୟ, ବର୍ତ୍ତମାନ କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପାଇଁ ଅକ୍ସିଜେନ ସଞ୍ଜିବନୀ ଭାବେ କାର୍ଯ୍ୟ କରୁଛି। କିନ୍ତୁ ଏହାର ଅଭାବ ଯୋଗୁ ଦେଶର ବିଭନ୍ନ ସହରରେ ରୋଗୀଙ୍କ ଜୀବନ ଯାଉଛି। ବିଶେଷ କରି ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଥିବା ହସ୍ପିଟାଲଗୁଡ଼ିକରେ ବିଶେଷ ଭାବେ ଅକ୍ସିଜେନ ଅଭାବ ସମସ୍ୟା ଦେଖାଦେଇଛି। ଏହାକୁ ଦେଖ ଓଡ଼ିଶା ସରକାର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଦେବାରେ ସହାୟତା କରୁଛନ୍ତି। ଆଉ ୭ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ବହୁ ଉପକୃତ ହେବ ବୋଲି ଆଶା କରାଯାଉଛି।

Share