Categories: ଅପରାଧ

୫ ହଜାର କୋଟିର ସ୍ବପ୍ନ ଦେଖାଇ ଠକି ନେଲେ ଦେଢ଼କୋଟି ଟଙ୍କା

ଡେରାଡୁନ, ୬।୮: ଅନେକ ପ୍ରକାର ଠକେଇ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ଯେଉଁଥିରେ ଲୋକମାନେ ପ୍ରତାରଣାର ସମ୍ମୁଖୀନ ହୋଇ ଶେଷରେ ବହୁ ପରିମାଣ ହରାଇଥାନ୍ତି। ଏବେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରୁ ଠକେଇର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଲ୍‌କା ପିଣ୍ଡ ଦେବା ନାମରେ ପାଖାପାଖି ଦେଢ଼ କୋଟି ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ବିଷ୍ଟ ସିଂ। ୨୦୧୭ରେ ୟୁନିଭର୍ସାଲ ମାଇନ୍ସ ଆଣ୍ଡ୍‌ ମିଲର୍ସ ଟର୍ନର କର୍ପୋରେଶନର ଜଣେ ବ୍ୟକ୍ତିଙ୍କ ସହିତ ବିଷ୍ଟଙ୍କ ପରିଚୟ ସୃଷ୍ଟି ହୋଇଥିଲା। ଏହି ବ୍ୟକ୍ତି ଜଣଙ୍କ ବିଷ୍ଟଙ୍କୁ କହିଥିଲେ, ‘ତାଙ୍କର ଜଣେ ଗ୍ରାହକ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ କାମ କରୁଛନ୍ତି। ଯାହାଙ୍କ ପାଖରେ ଏକ ବିରଳ ଉଲ୍‌କା ପିଣ୍ଡ ରହିଛି। ଏହି ଉଲ୍‌କା ପିଣ୍ଡର ମୂଲ୍ୟ ୫ ହଜାର କୋଟି ଟଙ୍କା ହେବ। କିନ୍ତୁ ସେ ତାକୁ ୧୦ କୋଟି ଟଙ୍କାରେ ବିକି ଦେବାକୁ ଚାହୁଁଛନ୍ତି। ଏଥିସହ ଉଲ୍‌କା ସାଇଣ୍ଟିଫିକ୍‌ ପରୀକ୍ଷଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ’ ବୋଲି ବିଷ୍ଟଙ୍କୁ କହିଥିଲେ। ଏହି କଥାରେ ଲୋଭର ବଶବର୍ତ୍ତୀ ହୋଇ ବିଷ୍ଟ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ସେହି ବ୍ୟକ୍ତିଙ୍କୁ ଦେଢ଼ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ପରେ ବିଷ୍ଟ ଜାଣିବାକୁ ପାଇଥିଲେ ଯେ ଏହା ଏକ ଠକ କମ୍ପାନୀ। ଏହାପରେ ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ, ବିଷ୍ଟଙ୍କୁ ୫ ହଜାର କୋଟି ଟଙ୍କାର ମାଲିକ ହେବାର ସ୍ବପ୍ନ ଦେଖାଇ ତାଙ୍କଠାରୁ ପର୍ଯ୍ୟାୟକ୍ରମେ ଦେଢ଼ କୋଟି ଟଙ୍କା ଠକି ନେଇଛନ୍ତି। କିନ୍ତୁ ତାଙ୍କୁ ଉଲ୍‌କା ପିଣ୍ଡ ମିଳିଲା ନା ତାଙ୍କ ଟଙ୍କା ଫେରସ୍ତ ପାଇଲେ। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ୬ ଜଣ ଲୋକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।