ଇସଲାମିକ ନିୟମ ଅନୁସାରେ ପୋଷାକ ପିନ୍ଧିଲେ ବାଳିକାଙ୍କୁ ମିଳିବ ପ୍ରାଥମିକ ଶିକ୍ଷା: ଘୋଷଣା କଲା ତାଲିବାନ…

କାବୁଲ,୧୧।୧ : ଆଫଗାନିସ୍ତାନରେ ତାଲିବାନ ଶାସକ ବାଳିକାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବାଳିକାମାନଙ୍କୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ଅନୁମତି ଦିଆ ଯାଇଥିବାବେଳେ ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ତ୍ତ ରଖିଛି ଯେ ସେମାନଙ୍କୁ ଇସଲାମିକ ନିୟମ ଅନୁଯାୟୀ ପୋଷାକ ପିନ୍ଧିବାକୁ ପଡ଼ିବ। ତେବେ ତାଲିବାନ ବାଳିକାମାନଙ୍କର ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ଖୋଲିବା ଏବଂ ସେମାନଙ୍କୁ ଶ୍ରେଣୀରେ ନାମଲେଖା କରିବା ପାଇଁ ପ୍ରତିଶ୍ରୁତି ଦେଇଛି।

ସୂଚନାଯୋଗ୍ୟ,ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ କ୍ରମାଗତ ଭାବରେ ମହିଳାଙ୍କ ଅଧିକାରକୁ ରଦ୍ଦ କରିଆସୁଛି। ଏଥିପାଇଁ ସେ ଅନ୍ତର୍ଜାତୀୟ ସମାଲୋଚନା ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ଏବଂ ଶିକ୍ଷା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛି। ଏହାପୂର୍ବରୁ ତାଲିବାନ ସରକାର ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଉଚ୍ଚ ମାଧ୍ୟମିକରେ ବାଳିକା ଆଡମିଶନ ଉପରେ ପୂର୍ବରୁ ଏକ ନିଷେଧାଦେଶ ଜାରି କରାଯାଇଛି।

ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଜାରି କରିଛି। ଏହାକୁ ବିଶ୍ୱ ସମୁଦାୟ ଏବଂ ମୁସଲମାନ ଦେଶମାନେ ନିନ୍ଦା କରିଛନ୍ତି। ତାଲିବାନ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ନିଦା ମହମ୍ମଦ ନାଦିମ କହିଛନ୍ତି ଯେ ମହିଳାଙ୍କ ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ନିଷ୍ପତ୍ତିରେ ବିଦେଶୀ ହସ୍ତକ୍ଷେପ ବନ୍ଦ କରାଯାଉ।

Share