Categories: ଫୁରସତ

୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ବେଜିଂ: ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ନିକଟରେ ୨ ଲକ୍ଷ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଥିବା ଜଣାପଡ଼ିଛି। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦକ୍ଷିଣ ଚାଇନାର ଏକ କମ୍ପାନୀରେ ଝାଙ୍ଗ ନାମକ ଜଣେ ବ୍ୟକ୍ତି କାମ କରୁଥିଲେ। ଜୁଲାଇରେ ସେ କମ୍ପାନୀର ଏକ ଡିନର ପାର୍ଟିରେ ସାମିଲ ହୋଇଥିଲେ। ସେ ସମୟରେ କମ୍ପାନୀର ମାଲିକ ମଜାରେ ଏକ ପ୍ରତିଯୋଗିତା ଆୟୋଜନ କଲେ। ସେଥିରେ ଯିଏ ସବୁଠୁ ଅଧିକ ମଦ ପିଇବେ ତାଙ୍କୁ ୨୦ ହଜାର ୟୁଆନ୍‌ ଅର୍ଥାତ୍‌ ୨.୨୮ ଲକ୍ଷ ଟଙ୍କା ପୁରସ୍କାର ସ୍ବରୂପ ମିଳିବ। ପ୍ରତିଯୋଗିତାରେ ହାରିଲେ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ୟୁଆନ୍‌ ଅର୍ଥାତ୍‌ ୧.୧୫ ଲକ୍ଷ ଟଙ୍କାର ଚା’ ପିଆଇବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ପ୍ରତିଯୋଗିତା ଆରମ୍ଭ ହେବା ପରେ ଝାଙ୍ଗଙ୍କ ସହିତ କିଛି କର୍ମଚାରୀ ଏଥିରେ ଭାଗ ନେଇଥିଲେ। ହେଲେ ଝାଙ୍ଗ ୧୦ ମିନିଟ୍‌ ଭିତରେ ପ୍ରାୟ ୧ ଲିଟର ମଦ ପିଇଦେଇଥିଲେ। ତା’ପରେ ସେ ସେଠାରେ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଡାକ୍ତରମାନେ ବଞ୍ଚାଇବାକୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାର ପରଦିନ ହିଁ ସେହି କମ୍ପାନୀ ବନ୍ଦ ହୋଇଗଲା।

Share