ସୁନିଦ୍ରାକୁ ପ୍ରଭାବିତ କରେ ଅଧିକ ଚା’ ପିଇବା

କ୍ଳାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଦୂରେଇ ରଖିବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଅଧିକ ଚା’ ପିଇବାର କେଉଁ ପ୍ରକାର ଖରାପ ପ୍ରଭାବ ଶରୀର ଉପରେ ପଡେ ସେ ନେଇ ସୂଚିତ କରିଛନ୍ତି। ଅଧିକ ସମୟ ଚା’ ପିଉଥିଲେ ତାହାର ପ୍ରଭାବ ସୁନିଦ୍ରା ଉପରେ ପଡିଥାଏ। ଅର୍ଥାତ୍‌ ଏହାଦ୍ୱାରା ଭଲ ନିଦ ହୋଇ ନ ଥାଏ। ଏହାବ୍ୟତୀତ ଅଧିକ ଚା’ ପିଇଲେ ପେଟରେ ଅମ୍ଳ ବା ଏସିଡିଟି ସୃଷ୍ଟି ହୁଏ, ଯାହାଦ୍ୱାରା ପେଟ ଦରଜ ଏବଂ ପେଟ ଫୁଲିବା ପରି ସମସ୍ୟା ଦେଖାଦେଇଥାଏ। ଏହାର ପ୍ରଭାବ ମଧ୍ୟ ଦାନ୍ତ ଉପରେ ପଡିଥାଏ। ଏହାଦ୍ୱାରା ଦାନ୍ତ ଉପରେ ହଳଦିଆ ଆସ୍ତରଣ ସୃଷ୍ଟି ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚା’ରେ ‘କୈଫିନ୍‌ ଟେନିନ୍‌’ ନାମକ ଏକ ବିଷାକ୍ତ ନିଶାଦ୍ରବ୍ୟ ରହିଥାଏ, ଯାହାର ପ୍ରଭାବ ହାର୍ଟ ଏବଂ ମସ୍ତିଷ୍କ ଉପରେ ପଡିବାର ଆଶଙ୍କା ରହିଛି ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।