ଦଶପଲ୍ଲା,୯ା୧୨(ଡି.ଏନ.ଏ.): ନୂଆଗାଁ ଗ୍ରାମପଞ୍ଚାୟତ ଦଶପଲ୍ଲା ବ୍ଲକର ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ୫ ହଜାରରୁ ଊଦ୍ଧର୍ବ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ଗତ କିଛିବର୍ଷ ହେବ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ୨୦୧୭ରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏଥିପାଇଁ ୧ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ତିଆରି କରାଯିବା ସହ ପାଇପ ବିଛା ଯାଇଥିଲା। ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇଥିଲା । ୨୦୧୮ ମଧ୍ୟ ଭାଗରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା । ହେଲେ ଉକ୍ତ ପ୍ରକଳ୍ପ କିଛିଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସ୍ଥାନୀୟ ଲୋକେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ତୁରନ୍ତ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।