କେନ୍ଦ୍ରାପଡ଼ା ଜିଲାର ୬୦ ଭାଗ ଗାଁରେ ମିଳୁନି ପାନୀୟଜଳ

କେନ୍ଦ୍ରାପଡ଼ା ଅଫିସ, ୨୮ା୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ୨୦୧୮ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆସନ୍ତା ୪ ମାସ ମଧ୍ୟରେ ଏହି ଶିଳାନ୍ୟାସକୁ ଇତିମଧ୍ୟରେ ୪ ବର୍ଷ ପୂର୍ଣ୍ଣ ହେବ। ପ୍ରକଳ୍ପ କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିଥିବା ବେଳେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମାମଲାରେ ପଡି ଏହାର କାର୍ଯ୍ୟ ଧୀମା ହୋଇଛି। ତେବେ ଏହାର ଜଳଉତ୍ସ ଲୁଣା ଓ ଚିତ୍ରୋପତ୍ଳା ନଦୀର ଜଳସ୍ତର କମ୍‌ ରହୁଥିବାରୁ ଆଗାମୀଦିନରେ ଏହି ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତାକୁ ଗତି କରିବ ବୋଲି ପରିବେଶବିତ୍‌ମାନେ ଆକଳନ କରୁଛନ୍ତି। ସେହିପରି ବିଭିନ୍ନ ଯୋଜନାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଓ ରାଜନେତାଙ୍କ ଉଦ୍ୟମ ହେଉଥିଲେ ମଧ୍ୟ ଏହାର ସୁଫଳ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁ ନ ଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଜଳ ଜୀବନ ମିଶନ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ମୋଟ ୩୦୪୭୨୫ ଘର ମଧ୍ୟରୁ ୧୫୬୯୦୫ ଘରକୁ ପାଇପ ପାଣି ଯୋଗାଯାଉଛି। ୧୫୯୨ ରାଜସ୍ବ ଗ୍ରାମ ମଧ୍ୟରୁ ୫୦୧ଟି ଗ୍ରାମକୁ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଉଛି। ସେହିପରି ୫୧୯ ଗ୍ରାମରେ ଟ୍ୟାପ ସଂଯୋଗ ୭୦ ପ୍ରତିଶତରୁ କମ୍‌ ରହିଛି। ୮୩ ଗ୍ରାମକୁ ପାଣି ସଂଯୋଗ ପ୍ରକ୍ରିୟା ଜାରି ରହିଥିବା ବେଳେ ଅବଶିଷ୍ଟ ପାଇଁ ଅଦ୍ୟାବଧି କୌଣସି ପ୍ରକଳ୍ପ ମଞ୍ଜୁର ହୋଇନାହିଁ। ବହୁ ଅଞ୍ଚଳରେ ଟ୍ୟାପ ପାଣି ପ୍ରକଳ୍ପିତ ଗ୍ରାମର ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ। ଏହାକୁ ହିସାବକୁ ନେଲେ ୬୦ରୁ ଊର୍ଦ୍ଧ୍ୱ ଭାଗ ଗ୍ରାମାଞ୍ଚଳବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଅପରପକ୍ଷରେ ଗ୍ରାମାଞ୍ଚଳରେ ୧୬,୨୨୮ଟି ନଳକୂପରୁ ଶତକଡା ୧୦ ଭାଗରେ ଫ୍ଲୋରାଇଡ, ଆଇରନ ମିଶା ଲୁଣାପାଣି ବାହାରୁଛି। ଏହାସତ୍ତ୍ୱେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶତକଡା ୭୯ ଭାଗ ଗ୍ରାମାଞ୍ଚଳରେ ପାନୀୟ ଜଳ ଶୁଦ୍ଧ ଥିବା ଦର୍ଶାଯାଇଛି। ସେହିପରି ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ନଦୀ ଓ ପୋଖରୀ ଜଳ ବ୍ୟବହାର ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଜଳବାହିତ ରୋଗରେ ପୀଡିତ ହେଉଛନ୍ତି।

ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କହିଛନ୍ତି, ରାଜ୍ୟର ଦ୍ୱିତୀୟ ବୃହତମ ନଦୀପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। ତେବେ ଉପରମୁଣ୍ଡରେ ଜଳସ୍ତର ହ୍ରାସ ଯୋଗୁ ପର୍ଯ୍ୟାପ୍ତ ପରିମାଣରେ ଜଳ ନଦୀରେ ଆସୁନାହିଁ। ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ବୈତରଣୀ, ଲୁଣା, ହଂସୁଆ, ଗୋବରୀ ଆଦି ଲୁଣା ମାଡି ଆସୁଛି। ଲୁଣାନଦୀର ମଣିକୁଣ୍ଡାଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଏହି ନଦୀର ପ୍ରକଳ୍ପଠାରୁ ମାତ୍ର ୫ କିଲୋମିଟର ଦୂରରେ ଲୁଣାପାଣି ମିଳୁଛି। ଖରାଦିନେ ଲୁଣାନଦୀର ଜଳସ୍ରୋତ କମି ଯାଉଥିବାରୁ ଲୁଣା ଅଂଶ ପ୍ରକଳ୍ପ ଆଡକୁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଆସିଯାଉଛି। ଏହି ଧାରା ଆଗକୁ ଜାରି ରହିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଜିଲାର ବହୁ ନଦୀରେ ମଧୁର ଜଳ ପରିବର୍ତ୍ତେ ଲୁଣି ପାଣି ମିଳିବ। ଜିଲା ଜନସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା, ନଦୀ କୂଳରେ ବୃକ୍ଷରୋପଣ, ଚେକ୍‌ ଡ୍ୟାମ ନିର୍ମାଣ ଆଦି କେନ୍ଦ୍ରାପଡ଼ା ଜିଲା ପାଇଁ ଜରୁରୀ ହୋଇପଡିଛି। ଜଳ ସୁରକ୍ଷା ଆଇନ ୨୦୧୭କୁ ଉପଯୋଗ କରି ନଦୀ ଅବବାହିକାରେ ଅବାଧ ନିର୍ମାଣ ବନ୍ଦ କରିବା, ଲଘୁ ଖଣିଜ ସମ୍ପଦକୁ ସୁରକ୍ଷିତ କରିବା, ଜଳପଥରୁ ଜବରଦଖଲ ହଟାଇବା ଆଦିକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେବା କଥା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଏକମାତ୍ର ଜଳସଙ୍କଟ ଭାବେ କେନ୍ଦ୍ରାପଡ଼ା ଜିଲାକୁ ଚିହ୍ନଟ କରି ଜଳଶକ୍ତି ଅଭିଯାନରେ ସାମିଲ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟା ପ୍ରତି ଜିଲା ପ୍ରଶାସନ ସଜାଗ ଦୃଷ୍ଟି ରଖିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେତୋଟି ପ୍ରକଳ୍ପ ଚିଠା ପ୍ରସ୍ତାବ ହୋଇଥିବା ବେଳେ କେତେକ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷକ ମଧ୍ୟରେ ସମସ୍ତଙ୍କ ନିକଟରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚତ୍ବ ବୋଲି ସେ କହିଛନ୍ତି।

Share