Categories: ଅନୁଗୋଳ

ପାଇପ୍‌ ଫାଟି ବିଲରେ ମାଡ଼ୁଛି ପାନୀୟ ଜଳ

ମାଧପୁର,୧୮।୪: ଗ୍ରୀଷ୍ମ ପ୍ରବାହ ବେଳେ ଗାଁକୁ ମିଳୁନି ପିଇବା ପାଣି। ୨ ଦିନ ହେଲା ପାଇପ୍‌ ଫାଟିବା କାରଣରୁ ସବୁତକ ପାଣି ବିଲରେ ମାଡ଼ୁଛି। କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ମରାମତି କରାଯାଉ ନ ଥିବାରୁ ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳୀ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
ମାଧପୁର ଓ ଆଖପାଖ ୩ ପଞ୍ଚାୟତର ୯ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ କନ୍ଧପଡା ନାଳ ଉପରେ ୧୯୯୮ ମସିହାରେ ଏକ ପମ୍ପ ହାଉସ୍‌ ସ୍ଥାପନ କରାଯାଇଥିଲା। ଉକ୍ତ ପମ୍ପ ହାଉସ୍‌ରୁ କୁନ୍ଦନାଳୀ ଗ୍ରାମକୁ ପାଇପ୍‌ ପାଣି ଯୋଗାଣ କରାଯାଉଛି। ହେଲେ ଗତ ୧୫ ତାରିଖରୁ କୁମୁସିହା ସାହି ନିକଟରେ କୌଣସି କାରଣ ଯୋଗୁଁ ପାଇପ୍‌ ଫାଟି ଯାଇଥିବାରୁ ପାନୀୟ ଜଳ ବିଲ ମଧ୍ୟକୁ ବହିଯାଉଛି। ଫଳରେ ଗଁାର ଏକ ହଜାରରୁ ଅଧିକ ଲୋକ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଯଥାଶୀଘ୍ର ସମସ୍ୟାର ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ପଣା ସଂକ୍ରାନ୍ତି ବା ମେରୁ ଯାତ୍ରା ପାଇଁ ଶ୍ରମିକ ମିଳୁନାହାନ୍ତି। ଶ୍ରମିକ ମିଳିଲେ ତୁରନ୍ତ ପାଇପ୍‌ ମରାମତି କାର୍ଯ୍ୟ କରାଯିବ।