ପିଇବା ପାଣି ପାଇଁ ଡହଳବିକଳ ଏସ୍‌.ଉରୁଡା ଗ୍ରାମବାସୀ

ପାରଳାଖେମୁଣ୍ଡି,୪ା୯ (ଗିରିଧାରୀ ପରିଛା): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା, ପ୍ରକଳ୍ପ ମାନ କରୁଛନ୍ତି। ଏଥିପାଇଁ ରାଜକୋଷରୁ ବହୁ କୋଟି ଟଙ୍କା ବ୍ୟୟ ବରାଦ ହେଉଛି। ହେଲେ କେତେକ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ସରକାରଙ୍କ ଜନହିତକର ଯୋଜନାଗୁଡିକ ଫେଲ ମାରୁଛି। ଏପରି ସ୍ଥଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ମାଲାମାଲ ହେଉଥିବା ବେଳେ ସରକାରଙ୍କ ଏହି ପାନୀୟ ଜଳ ଯୋଗାଣ ଯୋଜନା ଫେଲ ମାରୁଥିବା ଅଭିଯୋଗ ହେଉଛି। ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ଗୋଷାଣି ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ. ଉରୁଡା ଗ୍ରାମରେ। ଏହି ଗ୍ରାମରେ ୨୦୧୭ ମସିହାରେ ପାନୀୟ ଜଳ ଯୋଗାଇବା ଲାଗି ୩୦ ହଜାର ଲିଟର ବିଶିଷ୍ଟ ଓଭର ହେଡ ଟାଙ୍କି ନିର୍ମାଣ ହୋଇଥିଲା। ଗ୍ରାମର ସମସ୍ତ ଘରକୁ ମଧ୍ୟ ଟ୍ୟାପ ସଂଯୋଗ କରାଯାଇଥିଲା। ମାତ୍ର ଦିନେ ଦୁଇଦିନ ପରେ ପମ୍ପହାଉସ ମୋଟରଟି ଖରାପ ହୋଇଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଛଅ ବର୍ଷ ହେଲା ଏହି ପାନୀୟ ଜଳ ପ୍ରକଳ୍ପ ବନ୍ଦ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଓଭର ହେଡ ପାଣି ଟାଙ୍କି ଉପରେ ଏସ. ଉରୁଡା ଗ୍ରାମର ଉପରସାହି, ଜକାର ସାହି, ଢେପସାହି, କେ.ଉରୁଡା, ନୂଆସାହିର ପ୍ରାୟ ପନ୍ଦର ଶହରୁ ଊର୍ଦ୍ଧ ଅଧିବାସୀ ନିର୍ଭର କରନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ବସାଯାଇଥିବା ଟ୍ରାନ୍ସଫର୍ମର ୨୦୧୮ରେ ବାତ୍ୟା ‘ତିତ୍‌ଲି’ରେ ଭାଙ୍ଗିରୁଜି ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇ ନାହିଁ। ଗ୍ରାମରେ ଜଳ ଯୋଗାଣ ନିମନ୍ତେ ଅନ୍ୟ ବିକଳ୍ପ ନଳକୂପ ରହିଥିଲେ ମଧ୍ୟ ଏଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଖରାପ ହୋଇଯାଇଛି। ଗୋଟିଏ କି ଦୁଇଟି ନଳକୂପରୁ ପାଣି ଆସୁଛି, ହେଲେ କଳଙ୍କିଯୁକ୍ତ ପାଣି ଆସୁଥିବାରୁ ଲୋକେ ଏହି ପାଣିକୁ ବ୍ୟବହାର କରିପାରୁନାହାନ୍ତି। ଏପରି ସ୍ଥଳେ ଗ୍ରାମରେ ଗୋଟିଏ ମାତ୍ର କୂଅ ରହିଥିବାରୁ ମହିଳାମାନେ ପ୍ରାୟ ଦୁଇ କିମି ରାସ୍ତା ଅତିକ୍ରମ କରି ହାଣ୍ଡିଏ ଲେଖା ପାଣି ବୋହି ଆଣୁଛନ୍ତି। ଏହି କୂଅ ନିକଟକୁ ଯିବାକୁ ମଧ୍ୟ ରାସ୍ତା ନାହିଁ। ଲଟାବୁଦା ଘେରା ମଧ୍ୟ ଦେଇ ପାଣି ଆଣୁଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ନେଇ ପ୍ରଶାସନକୁ ବହୁବାର ଜଣାଯାଇଛି। ହେଲେ ଫଳ ଶୂନ୍ୟ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜୁଲାଇ ୩୧ରେ ଗୋଷାଣି ବ୍ଲକ ଲାବାଣ୍ୟଗଡ ଠାରେ ହୋଇଥିବା ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲା। ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ୧୫ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାସେ ବିତିଯାଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରି ନଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

Share