କଳିଙ୍ଗାରେ ଉତ୍କଟ ପାନୀୟ ଜଳ ସମସ୍ୟା

ଜି.ଉଦୟଗିରି,୧୬।୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକର କଳିଙ୍ଗାଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୪ଟି ମୋଟର ପମ୍ପ୍‌ ମଧ୍ୟରୁ ୩ଟି ଖରାପ ଅଛି। ତେଣୁ ପାନୀୟ ଜଳଯୋଗାଣ ଏକ ସପ୍ତାହ ହେବ ପ୍ରଭାବିତ ହୋଇଛି। ଜଳସ୍ତର କମିଯିବା ଯୋଗୁ ନଳକୂଅଗୁଡିକରୁ ପାଣି ବାହାରୁନାହିଁ। ୨୦୦୮-୦୯ ବର୍ଷରେ ୨୧ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ଏହି ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। ବର୍ତ୍ତମାନ ଯାଏ ଏହି ଜଳଯୋଗାଣ ପ୍ରକଳ୍ପରେ ୩୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁନହାନ୍ତି। ଏପରିକି କଳିଙ୍ଗାରେ ଏକ ସୋଲାର ପମ୍ପ୍‌ ବସିଥିଲେ ମଧ୍ୟ ପାଣି ଯୋଗାଣ ଠିକ୍‌ରେ ହୋଇପାରୁନାହିଁ। ପାନୀୟ ଜଳ ସମସ୍ୟା ଯୋଗୁ ଡୁଗୁରୁପାରି, କଳିଙ୍ଗା ଛକ, କୂଅ ସାହି, ଡିଏଭି ଛକ ସମେତ ଅନେକ ଗ୍ରାମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜି.ଉଦୟଗିରି ପାନୀୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ପଟେଲଙ୍କୁ ପଚାରିବାରୁ ମୋଟର ପମ୍ପ୍‌ ଖରାପ ଅଛି। ସେଗୁଡ଼ିକ କାରିଗର ଯୋଗେ ଶୀଘ୍ର ମରାମତି କରାଯାଇ ଜଳ ଯୋଗାଣ ସ୍ବାଭାବିକ କରାଯିବ ବୋଲି କହିଛନ୍ତି। ସୋଲାର ପମ୍ପ କାମ କରୁଥିଲେ ମଧ୍ୟ ଜଳସ୍ତର ତଳକୁ ଚାଲିଯିବା ଯୋଗୁ ଏପରି ସମସ୍ୟା ହେଉଛି। ତେଣୁ କଳିଙ୍ଗା ପଞ୍ଚାୟତ ଓ ତଲାରିମହା ପଞ୍ଚାୟତକୁ ମହାନଦୀରୁ ଆସୁଥିବା ମେଗା ପ୍ରକଳ୍ପରେ ସାମିଲ କରାଯାଇଛି। ସେଇ ପ୍ରକଳ୍ପ କାମ ହେବା ଯାଏ ଜଳ ଯୋଗାଣରେ ସାମାନ୍ୟ ଅସୁବିଧା ରହିବ ବୋଲି କହିଛନ୍ତି। ବର୍ତ୍ତମାନ ମୋଟର ପମ୍ପ୍‌ଗୁଡିକ ଠିକ୍‌ ହୋଇଯିବା ପରେ ସବୁ ସାହିକୁ ସମୟ ଧାର୍ଯ୍ୟ କରି ଠିକ୍‌ ଭାବେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି।