
ଥୁଆମୂଳ ରାମପୁର,୬ା୨(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜ଼ିଲାର ଥୁଆମୂଳ ରାମପୁର ବ୍ଲକର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ହେଲେ ଅବଧି ଶେଷ ପରେ ବି ପ୍ରକଳ୍ପ କାମ ଶେଷ ହୋଇନାହିଁ। ଫଳରେ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତ୍ୟେକ ଘରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନେଇ ୨୦୨୨ ନଭେମ୍ବରରୁ ମେଘା ଇଞ୍ଜିନିୟରିଂ ଲିମିଟେଡ଼ ନାମକ ଏକ ହାଇଦ୍ରାବାଦି କମ୍ପାନୀ ପ୍ରକଳ୍ପ କାମ ଆରମ୍ଭ କରିଥିଲା। ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଧୀନ କମଳାଗୁଡା କଲୋନୀପଡ଼ାରେ ପ୍ରାୟ ୭ଏକର ସରକାରୀ ଜମିରେ ପ୍ରକଳ୍ପ ନିର୍ମାଣ ହେଉଛି। ପ୍ରକଳ୍ପରୁ ବ୍ଲକର ୧୪ଗୋଟି ଗ୍ରାମ ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ଏଥିରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ଇମିଡ଼ିଏଟ ବୁଷ୍ଟର ପମ୍ପ୍ହାଉସ ବ୍ୟବସ୍ଥା ଅଛି। ହେଲେ ପରିତାପର ବିଷୟ ପ୍ରକଳ୍ପ ନିର୍ମାଣର ତିନିବର୍ଷ ବିତି ଗତ ନଭେମ୍ବର ମାସରେ ଅବଧି ଶେଷ ହୋଇଥିଲେ ମଧ୍ୟ ମାତ୍ର ୩୦% କାମ ଶେଷ ହୋଇଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ। ତେଣୁ ଠିକା ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ସହ ଯଥାଶୀଘ୍ର ପ୍ରକଳ୍ପ ଶେଷ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୂର୍ମୁଙ୍କୁ ପଚାରିବାରୁ ଟେଣ୍ଡର ପାଇଥିବା କମ୍ପାନୀ ହାଇଦ୍ରାବାଦର। କମ୍ପାନୀ ଅନେକ କାମ ହାତକୁ ନେଇଥିବାରୁ ଆମ ବ୍ଲକର କାମକୁ ଅବହେଳା କରୁଛି। ଜିଲାସ୍ତରୀୟ ବୈଠକରେ ଜିଲାପାଳ ମଧ୍ୟ ଅନେକଥର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କମ୍ପାନୀ ବେଖାତିର କରି ମନଇଚ୍ଛା କାମ କରୁଛି ବୋଲି କହିଛନ୍ତି।