ସରୁନି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ: ଯାତାୟାତରେ ଅସୁବିଧା

ନାଉଗାଁ,୩୦ା୬ (ସୁଧା ବେହୁରା): ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ନାଉଗାଁ ବ୍ଲକରେ ଏହି ଯୋଜନା ମାଧ୍ୟମରେ ପଞ୍ଚାୟତକୁ ଜଳ ଯୋଗାଇବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୪ ଟି ଜୋନରେ ବିଭକ୍ତ କରାଯାଇଛି। ୪ ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବାବଦକୁ ୩ କୋଟି ୬୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି। ନିର୍ମାଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶା ନାମା ପ୍ରଦାନ କରାଯାଇଛି। କାର୍ଯ୍ୟ ତଦାରଖ ଦାୟିତ୍ୱରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ରହିଛି। କିନ୍ତୁ ବିଭାଗ ପକ୍ଷରୁ ଠିକ୍‌ଭାବେ ତଦାରଖ କରାଯାଉ ନ ଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟାଦେଶ ପାଇଥିବା ଠିକାଦାର ୨ମାସରୁ ଊର୍ଦ୍ଧ୍ୱ ହେବ ରାସ୍ତା ପାର୍ଶ୍ୱ ଖୋଳି ଦେଇଛନ୍ତି। ମାତ୍ର ପୋତିବାର ନାଁ ଧରୁନାହାନ୍ତି।
ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାଉଗାଁ ବଜାରରେ ଥିବା ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଦୀର୍ଘ ଦିନ ହେବ ପ୍ରକଳ୍ପ ପାଇଁ ଖୋଳା ଯାଇଛି। ଫଳରେ ଯାତାୟାତରେ ଅସୁବିଧା ହେଉଛି। ବର୍ଷା ଦିନ ହୋଇଥିବାରୁ ଖୋଳା ଯାଇଥିବା ଖାଲରେ ପାଣି ଜମି ରହୁଛି। ଫଳରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। କେବଳ ନାଉଗାଁ ବଜାର ନୁହେଁ କୋକିଢିହ-ତେଲସରାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱକୁ ପାଇପ ସଂଯୋଗ ପାଇଁ କୋକିଢ଼ିହଠାରୁ ବାଲିସାହି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରୁ ୨ ଫୁଟ ଗଭୀରର ଖୋଳା ଯାଇଛି। ମାତ୍ର ଏପର୍ଯ୍ୟନ୍ତ ପୋତା ଯାଉନାହିଁ। ଯାହା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଅତ୍ୟଧିକ ବର୍ଷା ହେଲେ ଉକ୍ତ ନାଳରେ ପାଣି ଜମି ରହିଲେ ସ୍ଥାନୀୟ ଜନସାଧରାଣ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଉକ୍ତ ନାଳକୁ ପୋତିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏସମ୍ପର୍କରେ ଗ୍ରାମଜଳ ଯୋଗାଣ ଓ ପରିମଳ ବିଭାର ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସ କୁହନ୍ତି, କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଯଥାଶୀଘ୍ର ପୋତାଯିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି।