୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ

ନାକଟିଦେଉଳ,୬ା୧୦(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଗ୍ରା.ପ. ଅନ୍ତର୍ଗତ କଞ୍ଚନପୁର ଗ୍ରାମକୁ ୩ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଫଳରେ ପାଣି ପାଇଁ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ କଞ୍ଚନପୁର ଗ୍ରାମର ୨୧୫ ପରିବାରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ଗ୍ରାମରେ ଏକ ଓଭରହେଡ଼ ପାଣି ଟାଙ୍କି ନିର୍ମାଣ କରିଛନ୍ତି। କିଛିବର୍ଷ ବେଶ ସୁରୁଖୁରରେ ଗ୍ରାମବାସୀ ଏହି ପ୍ରକଳ୍ପରୁ ପାନୀୟ ଜଳ ପାଇପାରୁଥିଲେ। ତେବେ ଗତ ପ୍ରାୟ ୩ମାସ ହେବ ଏହି ପ୍ରକଳ୍ପରୁ ଜଳ ଯୋଗାଣ ବନ୍ଦ ରହିଛି। କେଉଁ କାରଣରୁ ଜଳ ଯୋଗାଣ ବନ୍ଦ ରହିଛି ଗ୍ରାମବାସୀ ଜାଣିପାରୁ ନାହାନ୍ତି। ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ତେଣୁ ଆସନ୍ତା ୯ତାରିଖ ସୁଦ୍ଧା ଜଳ ଯୋଗାଣ ସ୍ବାଭାବିକ ନ ହେଲେ ୧୦ରେ ସେମାନେ ପ୍ରକଳ୍ପ ସମ୍ମୁଖଦେଇ ଯାଇଥିବା ସମ୍ବଲପୁର-ଗୋଧିଢିପ ରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ରେଢ଼ାଖୋଲ ଉପଜିଲାପାଳ, ନାକଟିଦେଉଳ ବିଡ଼ିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉପଖଣ୍ଡ ଅଧିକାରୀ, ରେଢାଖୋଲ ଏସ୍‌ଡ଼ିପିଓ ଓ କିସିଣ୍ଡା ଥାନା ଅଧିକାରୀଙ୍କୁ ଲିଖିତାକାରେ ଜଣାଇଛନ୍ତି।

Share