Advertisement

ଦିନେ ଛାଡ଼ି ଦିନେ ହେଉଛି ପାନୀୟ ଜଳ ଯୋଗାଣ: ବର୍ଷା ଅପେକ୍ଷାରେ ଅଞ୍ଚଳବାସୀ

ରାଇକିଆ,୧୭ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ପାନୀୟ ଜଳ ଯୋଗାଣ ହେଉଛି ଏକ ପ୍ରମୁଖ ସମସ୍ୟା। ସହରବାସୀଙ୍କ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଏବେବି ଅପହଞ୍ଚ ହୋଇ ରହିଛି । ୩୦ ବର୍ଷ ତଳର ପୁରୁଣା ଜଳ ଯୋଗାଣ ପ୍ରକଳ୍ପରେ ୧୦ ହଜାରରୁ ଉଦ୍ଧର୍‌ବ ଜନସଂଖ୍ୟା ବିଶିଷ୍ଟ ରାଇକିଆ ସହରକୁ ଜଳ ଯୋଗାଣ ହେଉଛି। ଚଳିତ ବର୍ଷ ଜଳ ସମସ୍ୟା ଗମ୍ଭୀର ରୂପ ଧାରଣ କରିଛ। ଗର୍ଜନି ନଦୀ ଶୁଖି ଯାଇଥିବାରୁ ପାନୀୟ ଜଳ ନିୟମିତ ଯୋଗାଣ ହୋଇପାରୁନାହ। ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ହିଁ କୂଅ, ନଳକୂଅ ଶୁଖି ଗଲାଣି। ଲୋକଙ୍କ ପାଇଁ ଟ୍ୟାପ୍‌ ଯୋଗେ ଜଳ ଯୋଗାଣ ଏକ ମାତ୍ର ଭରସା ପାଲଟିଥିବା ବେଳେ ମୂଖ୍ୟ ଜଳ ଉତ୍ସ ଗର୍ଜନି ନଦୀ ଶୁଖିବା ବିଭାଗ ପାଇଁ ଚିନ୍ତା ବଢ଼ାଇଛି। ଏଥିପାଇଁ ଦିନେ ବ୍ୟବଧାନରେ ସହରବାସୀଙ୍କୁ ଜଳ ଯୋଗାଣ ହେଉଛି। ଅନେକ ସ୍ଥାନକୁ ନିୟମିତ ପାଣି ପହଞ୍ଚି ପାରୁନାହିଁ। ଖରା ଦିନେ ପାଣି ପାଇଁ ଟ୍ୟାଙ୍କର ଭରସାରେ ହିଁ ଅନେକ ଅଞ୍ଚଳ ରହୁଛି। କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ନୂତନ ଯୋଜନା ଭାବେ ମେଗା ଜଳ ପ୍ରକଳ୍ପର କାର୍ଯ୍ୟକାରୀ ହୋଇ ପାରିନାହିଁ। ଏ ନେଇ ରାଇକିଆ ଆରଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ରାଇକିଆରେ ମେଗା ଜଳ ପ୍ରକଳ୍ପର ପାଇପ ବିଛାଇବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସବୁ ଠାରୁ ବଡ଼ ସମସ୍ୟା ଭାବେ ଦେଖା ଦେଇଛି ଜଳ ଉତ୍ସଗୁଡ଼ିକରେ ଜଳାଭାବ। ପ୍ରାୟତଃ ମେ’ ମାସ ଆଡ଼କୁ ରାଇକିଆ ଗର୍ଜନି ନଦୀ ଏଭଳି ଶୁଖିଲା ଅବସ୍ଥା ହୋଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ସମାନ ପରିସ୍ଥିତି ସୃଷ୍ଟି ହୋଇଛ। ତେଣୁ ସବୁ ଅଞ୍ଚଳକୁ ଦିନେ ଛାଡ଼ି ଦିନେ ଜଳ ଯୋଗାଣ କରାଯାଉଛି। ଜଳଧାରଣ କ୍ଷମତା ବୃଦ୍ଧି ପାଇଁ ନୂତନ ଟାଙ୍କି ଏବଂ ନଦୀରୁ ଜଳ ଉଠାଯାଉଥିବା ସ୍ଥାନକୁ ସମ୍ପ୍ରସାରଣ କରାଯାଇଛି। ନଦୀ ଶୁଖିଲା ପଡ଼ିଥିବାରୁ ବର୍ଷାକୁ ହିଁ ଅପେକ୍ଷା କରାଯାଇଛି। ଥରେ ଦୁଇଥର ବର୍ଷା ହେଲେ ଜଳ ଯୋଗାଣ ସ୍ବାଭାବିକ ହୋଇପାରିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel