ଚନ୍ଦ୍ରଭାଗାରେ ପାନୀୟଜଳ ଟ୍ୟାପ୍‌ ଅଚଳ

କୋଣାର୍କ,୧୮।୪(ଡି.ଏନ୍‌.ଏ.): ଚନ୍ଦ୍ରଭାଗାଠାରେ ପର୍ଯ୍ୟଟକ, ପଥଚାରୀ ଓ ଜନସାଧାରଣଙ୍କ ନିମନ୍ତେ ଓ୍ବାଟ୍‌କୋ ପକ୍ଷରୁ ନିର୍ମିତ ପାନୀୟଜଳ ଟ୍ୟାପ୍‌ ଅଚଳାବସ୍ଥାରେ ପଡ଼ିଛି। ଏଥିଯୋଗୁ ଏଠାକୁ ଆସୁଥିବା ଲୋକେ ପାନୀୟଜଳ ନ ପାଇ ପ୍ରଚଣ୍ଡ ରୌଦ୍ରତାପ ଜନିତ ସମସ୍ୟାରେ ଛଟପଟ ହେଉଛନ୍ତି। ଚନ୍ଦ୍ରଭାଗା ପୁରାଣ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହୋଇଥିବାରୁ ଏଠାକୁ ଅନେକ ପର୍ଯ୍ୟଟକ ଆସି ସୂର୍ଯ୍ୟପୂଜା, ଗ୍ରହଶାନ୍ତି, ସୂର୍ଯ୍ୟ ଦର୍ଶନ ଓ ସମୁଦ୍ରରେ ସ୍ନାନ କରିଥା’ନ୍ତି। ଚନ୍ଦ୍ରଭାଗା ବଜାର ମୁଖ୍ୟ ରାସ୍ତାରେ ଏହି ପାନୀୟଜଳ ଟ୍ୟାପ୍‌ ଅଚଳ ହୋଇ ପଡିଛି। ହେଲେ ଓ୍ବାଟ୍‌କୋ, ପର୍ଯ୍ୟଟନ ବିଭାଗ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷ ଏହି ଘଟଣା ଉପରେ ନଜର ନ ଦେବା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି। ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କୁ ପାଣି ନ ମିଳିବାରୁ ସେମାନେ ଖରାରେ ହନ୍ତସନ୍ତ ହେଉଛନ୍ତି। ଏହି ଘଟଣାର ସ୍ଥାୟୀ ସମାଧାନ ନିମନ୍ତେ ଓ୍ବାଟ୍‌କୋ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ଦିଗରେ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷ ନୀରବତା ଅବଲମ୍ବନ କରିବା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦର୍ଶାଉଛି। ସମସ୍ୟାର ସମାଧାନ କରିବା ସହ ଅଚଳ ପାନୀୟଜଳ ଟ୍ୟାପ କାର୍ଯ୍ୟକ୍ଷମ କରିବାକୁ ପୁରୀ ଜିଲାପାଳ ଦୃଷ୍ଟି ଦେବାକୁ ପର୍ଯ୍ୟଟନପ୍ରେମୀ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଓ୍ବାଟ୍‌କୋର କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପାତ୍ରଙ୍କୁ ପଚାରିବାରେ, ରାସ୍ତା କାର୍ଯ୍ୟ ଚାଲିଥିବା ହେତୁ ଖୋଳାଖୋଳି ସମୟରେ ଏହା ବିଚ୍ଛିନ୍ନ ହୋଇଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯାଇ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

Share