ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ବନ୍ଦ

ପୁରୀ, ୯ା୧୨(ଅଜିତ ମହାନ୍ତି): ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ସେବନ ବନ୍ଦ ଏବଂ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ନୂଆବର୍ଷଠାରୁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବାକୁ ଥିବାରୁ ଏ ନେଇ ପୂର୍ବରୁ ସେବାୟତ ଓ ଜେଟିପିମାନଙ୍କ ଦ୍ୱାରା ସଚେତନ କରାଯିବା ସହ ପୁରୁଷ ଭକ୍ତଙ୍କୁ ଧୋତି ପିନ୍ଧାଯାଇ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଇଥିଲା। ତେବେ ଆସନ୍ତା ନୂଆବର୍ଷରୁ ଏହି ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ସେହିପରି ଜାନୁୟାରୀ ୧ରୁ ଶ୍ରୀମନ୍ଦିର ପରିସରରେ ପାନ ଓ ଗୁଟ୍‌ଖା ସେବନ ଉପରେ କଟକଣା ଜାରି କରାଯାଇଛି।
ମୁଖ୍ୟ ପ୍ରଶାସକ ଦାସ କହିଛନ୍ତି, ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ଆସିବା ନେଇ ଗତ ୨ମାସ ତଳେ ପ୍ରୟାସ ଆରମ୍ଭ କରାଯାଇଥିଲା। ଜାନୁୟାରୀ ୧ ତାରିଖଠାରୁ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ, ଭକ୍ତମାନେ ଏହି ନିୟମକୁ ଶତପ୍ରତିଶତ ଅନୁପାଳନ କରୁଛନ୍ତି। ବାଧ୍ୟବାଧକତାର ଆବଶ୍ୟକତା ନାହିଁ। ସେହିପରି ପ୍ରଶାସନ ପକ୍ଷରୁ ପାନଗୁଟ୍‌ଖା ଉପରେ ସଚେତନ କରାଯାଉଛି। ସେବାୟତମାନେ ମଧ୍ୟ ନିଜେ ସଚେତନ ହେବା ସହ ଭକ୍ତଙ୍କୁ ସଚେତନ କରାଉଛନ୍ତି। ଯେଉଁମାନଙ୍କର ପାନ ଗୁଟ୍‌ଖା ଖାଇବାର ଅଛି, ସେମାନେ ଶ୍ରୀମନ୍ଦିର ବାହାରେ ଖାଆନ୍ତୁ। ଏଥିଲାଗି ଯେପରି କାହା ବିରୋଧରେ ଦଣ୍ଡବିଧାନ ନ ହେଉ ତାହା ପ୍ରଶାସନ ଚାହେଁ ବୋଲି ଦାସ ପ୍ରକାଶ କରିଛନ୍ତି।

Share