ଆଉ ୩ ସ୍ଥାନରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନର ସୁଫଳ ମିଳିବା ପରେ ଆଉ ୩ଟି ସ୍ଥାନରେ ଏଭଳି ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟବସ୍ଥା କରିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୬, ପଟିଆସ୍ଥିତ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଓ ଖଣ୍ଡଗିରି ଓ୍ବାର୍ଡ ନଂ.୨୩ରେ ଥିବା କମ୍ୟୁନିଟି ସେଣ୍ଟର। ଏଠାରେ ଟିକାକରଣ ପାଇଁ ବୁଧବାର ରାତି ୭ଟାରୁ ବୁକିଂ ଆରମ୍ଭ ହୋଇଥିଲା। ଏହାର ମାତ୍ର କିଛି ସମୟ ଭିତରେ ସ୍ଲଟ୍‌ ଶେଷ ହୋଇଯାଇଥିଲା। ଏସବୁ ଟିକାକରଣ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବର୍ଗର ଏବଂ ୪୫ ଓ ଊଦ୍ଧର୍‌ବ ବୟସର ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଦିଆଯିବ। ସେହିଭଳି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୫ ଓ ଊଦ୍ଧର୍‌ବ ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଦିଆଯିବ। ନୂଆ ସ୍ଲଟ୍‌ ୧୦ରୁ ୧୨ତାରିଖ ମଧ୍ୟରେ ମିଳିବ। ସେପଟେ ଭୁବନେଶ୍ୱରରେ ଗତ ୨୪ଘଣ୍ଟାରେ ୫୪୭ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୪୭ଜଣ ସ୍ଥାନୀୟ ଆକ୍ରାନ୍ତ ଥିବାବେଳେ ୧୦୦ଜଣ ହୋମ୍‌ କ୍ୱାରାଣ୍ଟାଇନରେ ଅଛନ୍ତି। ଫଳରେ ରାଜଧାନୀରେ ଏବେ ମୋଟ ସଂକ୍ରମଣ ୮୨,୧୧୭କୁ ବୃଦ୍ଧି ପାଇଛି।

Share