ଟିକା ନେବା ପରେ ଡ୍ରାଇଭରଙ୍କ ମୃତ୍ୟୁ, ଆଶାକର୍ମୀ ଅସୁସ୍ଥ: ପରୀକ୍ଷା ନିରୀକ୍ଷା ଜାରି

ହାଇଦ୍ରାବାଦ୍‌/ଚଣ୍ଡିଗଡ଼, ୨୧।୧: କରୋନା ଟିକା ନେବା ପରେ ତେଲଙ୍ଗାନାର ନିର୍ମଳ ଜିଲାରେ ଆମ୍ବୁଲାନ୍ସ୍‌ ଡ୍ରାଇଭର ବିଠୁଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏଭଳି ହୋଇଥିବା ସେମାନେ କହିଛନ୍ତି। ଟିକାନେବାର କିଛି ଘଣ୍ଟା ପରେ ବିଠୁଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିବା। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପଞ୍ଜାବର ଫିରୋଜପୁରରେ ଜଣେ ଆଶାକର୍ମୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଟିକା ନେବାରୁ ଏଭଳି ହୋଇଛି କି ନାହିଁ ସେନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଫିରୋଜପୁରର ବାସିନ୍ଦା ଆଶାକର୍ମୀ ବିନ୍ଦିତା ଟିକା ନେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ସ୍ଥାନୀୟ ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଟିକା ନେବା ପରେ ବିନ୍ଦିତାଙ୍କ ରକ୍ତଚାପ ହ୍ରାସ ପାଇଥିବା କୁହାଯାଉଛି।

Share