ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ ବସ୍‌ ନଂ ଓ ଏକ ଅଜଣା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ଡ୍ରାଇଭର ଏବଂ ହେଲପର ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରାତି ୧ ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତ ଡ୍ରାଇଭରଙ୍କ ନାମ ଡମ୍ବରୁଧର ସ୍ବାଇଁ(୫୩)। ତାଙ୍କ ଘର ଭୁବନେଶ୍ୱର ଖଣ୍ଡଗିରିର ଡୁମୁଡୁମା ଅଞ୍ଚଳରେ। ସେହିପରି ମୃତ ହେଲପରଙ୍କ ନାମ ଶିବରାମ ଗୌଡ଼(୩୨)। ତାଙ୍କ ଘର ଗଞ୍ଜାମ ଜିଲାର ବଡ଼ାଙ୍ଗୀ ଅଞ୍ଚଳରେ। ଏହି ଯାତ୍ରୀବାହୀ ବସ୍‌ ଜୟପୁରରୁ କଟକ ଯାଉଥିଲା। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ତେବେ ସୌଭାଗ୍ୟକ୍ରମେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହରଡ଼ଖୋଲ ଫାଣ୍ଡି ପୋଲିସ ବସ୍‌କୁ ଜବତ କରିଛି। ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଯାଉଛି। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

Share