ବ୍ରଜରାଜନଗର,୪ା୧୨(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବ୍ରଜରଜନଗର ଥାନା ଅଧୀନ ଲାଜକୁରା ଖୋଲାମୁଁହ ଖଣିରେ କାର୍ଯ୍ୟ କରୁଥିବା ଜଣେ ଡମ୍ପର ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ଦେବଗଡ଼ ଜିଲାର ବିଜୟ ପ୍ରଧାନ(୪୫)।
ବିଜୟ ଖଣିରେ ଓଡି୨୩ସି-୩୪୧୦ନମ୍ବର ଡମ୍ପର ଚଳାଉଥିଲେ। ଶୁକ୍ରବାର ରାତି ୧୧ଟାରେ ସେ ଏକ ଲୋଡ଼ ଗାଡି ରେଳ ସାଇଡିଂରେ ଖାଲିକରି ଫେରୁଥିବା ବେଳେ କୌଣସି କାରଣରୁ ଗାଡି ଭାରସାମ୍ୟ ହରାଇବାରୁ ବିଜୟ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ନିକଟସ୍ଥ ମଣ୍ଡଳୀୟା ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।