Categories: ଜାତୀୟ

ଡ୍ରାଇଭର ଢୁଳାଉଥିଲେ ସତର୍କ କରାଇବ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଟ୍ରେନ୍‌ ଚଳାଉଥିବାବେଳେ ଡ୍ରାଇଭରଙ୍କ ଆଖିପତା ଲାଗିଗଲେ, ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭିତ୍ତିକ ଡିଭାଇସ୍‌ ଏହାକୁ ଚିହ୍ନଟ କରି ତାଙ୍କୁ ଟ୍ରେନ୍‌ ଅଟକାଇବା ପାଇଁ ସତର୍କ କରାଇଦେବ। ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ (ଏନ୍‌ଏଫ୍‌ଆର୍‌) ଏଭଳି ଏକ ଡିଭାଇସ୍‌ ବିକଶିତ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ଡ୍ରାଇଭରଙ୍କ ଆଖିପତା ଲାଗୁଥିଲେ ସେମାନଙ୍କୁ ସତର୍କ କରାଇବା ନିମନ୍ତେ ଏକ ଉପକରଣ ବିକଶିତ କରିବାକୁ ରେଲ୍‌ଓ୍ବେ ବୋର୍ଡ ଗତ ଜୁନ୍‌ରେ ଏନ୍‌ଏଫ୍‌ଆର୍‌କୁ କହିଥିଲା। ରେଲଓ୍ବେ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ୍‌ (ଆର୍‌ଡିଏଏସ୍‌) ନାମକ ଏହି ଉପକରଣ କେବଳ ସତର୍କ କରାଇବ ତାହା ନୁହେଁ, ଯଦି ଡ୍ରାଇଭର ସତର୍କତା ହରାଇଥାନ୍ତି, ତେବେ ଏହା ଜରୁରୀ ବ୍ରେକ୍‌ର ଉପଯୋଗ କରିପାରିବ। ଜରୁରୀ ବ୍ରେକ୍‌ ଚାପିବା ପାଇଁ ଆର୍‌ଡିଏଏସ୍‌କୁ ଏକ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ୍‌ ସହ ସଂଯୋଗ କରାଯିବ।

ଉକ୍ତ ଡିଭାଇସ୍‌ ଏବେ ବିକାଶ ପର୍ଯ୍ୟାୟରେ ରହିଥିବାବେଳେ ଏହା ଯେପରି ଉପଯୁକ୍ତ ଭାବେ କାର୍ଯ୍ୟ କରିବ, ତାହା ସୁନିଶ୍ଚିତ କରିବା ଲାଗି ପରୀକ୍ଷା ନିରୀକ୍ଷା ଜାରି ରହିଛି। ଆଉ କିଛି ସପ୍ତାହ ମଧ୍ୟରେ ଏହା ବ୍ୟବହାର ଲାଗି ପ୍ରସ୍ତୁତ ହୋଇଯିବ ବୋଲି ଏନ୍‌ଏଫ୍‌ଆରର ବୈଷୟିକ ଟିମ୍‌ କହିଛି। ଆର୍‌ଡିଏଏସ୍‌ ପ୍ରସ୍ତୁତ ହୋଇଗଲେ, ଏହାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ପ୍ରଥମେ ୨୦ଟି ମାଲ୍‌ଗାଡ଼ି ଇଞ୍ଜିନ୍‌ ଏବଂ ଯାତ୍ରୀବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ଲଗାଯିବ।

Share