ଟ୍ରକ ତଳେ ଶୋଇଥିଲେ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବାଲିଗୁଡ଼ା:୨୨।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ରକ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଏକ ଅଘଟଣ । ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଦିନ ହେଲା ରାସ୍ତା କଡ଼ରେ ଗାଡ଼ି ରଖି ଜଗି ରହିଥିଲେ ଡ୍ରାଇଭର । ମୃତ ଟ୍ରକ ଡ୍ରାଇଭର ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅଞ୍ଚଳର ଚିତ୍ତରଞ୍ଜନ ବସ୍ତିଆ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଜଣକ ଟ୍ରକ(ନଂ.ଓଡି୦୫ଜେଡ-୦୩୦୬)ଧରି ପାରିଗଡ଼ରୁ ଫୁଲବାଣୀ ଯାଉଥିବା ବେଳେ ବାଲିଗୁଡ଼ା ଥାନା ବୁଢ଼ାନଈ ନିକଟରେ ଟ୍ରକଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଥିଲା । ମରାମତି କରିବା ପାଇଁ ଗାଡ଼ି ଅଟକାଇ ଡ୍ରାଇଭର ଜଣକ ପାଞ୍ଚଦିନ ହେବ ରାସ୍ତା କଡ଼ରେ ଗାଡ଼ିକୁ ଜଗି ରହିଥିଲେ । ଗାଡ଼ି ତଳେ ଶୋଇଥିବା ବେଳେ ଦୀର୍ଘ ସମୟ ଧରି ସେ ନ ଉଠିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ଏନେଇ ବାଲିଗୁଡ଼ା ଥାନା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଡ୍ରାଇଭର ଜଣଙ୍କ ମୃତ୍ୟୁ କିଭଳି ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।