ପଦ୍ମପୁର,୨୦।୬(ଡି.ଏନ୍.ଏ.): ଧୀରେ ଧୀରେ ଲୋକଙ୍କ ମଧ୍ୟରେ ମାନବିକତା ମରିଯାଉଛି। ତେବେ କେତେକଙ୍କ ମଧ୍ୟରେ ମଣିଷପଣିଆ ଏବେ ମଧ୍ୟ ବଞ୍ଚିରହିଛି। ରାୟଗଡ଼ା ଜିଲା ପଦ୍ମପୁର ଅଞ୍ଚଳରେ ଶନିବାର ରାତିରେ ଏଭଳି କିଛି ଦେଖିବାକୁ ମିଳିଥିଲା। ସୁନାରିଘାଇ ଛକ ନିକଟରେ ଜଣେ ପୋଲିସ ଅଧିକାରୀ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବାବେଳେ ସ୍ଥାନୀୟ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗୁଣପୁରର ଏସ୍ଡିପିଓଙ୍କ ସ୍ବତନ୍ତ୍ର ସ୍କ୍ବାଡ ଅଫିସର ଥିବା ଯୋଗେଶ୍ୱର ଶବର ବାଇକ୍ ଯୋଗେ ଗୁଡାରି ବ୍ଲକ ଡୁମ୍ବାଗୁଡ଼ା ଗ୍ରାମରୁ ଫେରୁଥିଲେ। ସୁନାରିଘାଇ ଛକ ନିକଟରେ ହଠାତ ବାଇକ୍ ରଖିବା ସମୟରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଡ୍ରାଇଭରମାନେ ଏହା ଦେଖି ଅଟୋରେ ଡାକ୍ତରଖାନା ନେଇଥିଲେ। ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ବିକାଶ ଦଳେଇ ଯୋଗେଶ୍ୱରଙ୍କ ଚିକିତ୍ସା କରି ରକ୍ତଚାପ ବଢ଼ିଯାଇଥିବାରୁ ଅକ୍ସିଜେନ୍ ଦେଇ ଚିକିତ୍ସା କରିଥିଲେ। ବିଳମ୍ବିତ ରାତିରେ ତାଙ୍କର ଚେତା ଫେରିଥିଲା। ଏହାପରେ ସେ ନିଜ ପରିଚୟ ଦେଇଥିଲେ। ଖବର ପାଇ ପଦ୍ମପୁର ପୋଲିସ ଓ କେନ୍ଦୁଗୁଡ଼ା ପୋଲିସ ଅଧିକାରୀମାନେ ପହଞ୍ଚି ଯୋଗେଶ୍ୱରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରବିବାର ସକାଳେ ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିବା ଜଣାପଡ଼ିଛି। ତେବେ ଡ୍ରାଇଭରମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।