ଦାବି ପୂରଣ ନ ହେବା ଯାଏ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଡାବୁଗାଁ, ୨୧।୪ (ଡି.ଏନ୍‌.ଏ.): ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଆନ୍ଦୋଳନ ସମ୍ପର୍କରେ ସଂଘ ପକ୍ଷରୁ ଡାବୁଗାଁ ଥାନାରେ ସୂଚନା ଦିଆଯାଇଥିଲା। ଓଡ଼ିଶା ଡ୍ରାଇଭର ମହାସଂଘ ଚଳିତ ମାସ ୧୮ତାରିଖରେ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ଶୋଭାଯାତ୍ରା କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ୩ ମାସ ସମୟ ନେଇଛନ୍ତି। ମହାସଂଘ ନିଷ୍ପତ୍ତି ଅନୁସାରେ ଜିଲାର ଡ୍ରାଇଭରମାନେ ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ପରିବହନ ଗାଡ଼ିକୁ ବନ୍ଦ କରି ଆନ୍ଦୋଳନ ହେବ। ଏଥିରୁ ଦୁଗ୍ଧଜାତ ଦ୍ରବ୍ୟ, ପନିପରିବା, ଔଷଧ ଓ ଫଳମୂଳ ଭଳି ଲୋକଙ୍କ ଜରୁରୀ ଜିନିଷ ନେବା ଆଣିବା କରୁଥିବା ଗାଡ଼ିଗୁଡିକୁ ବାଦ୍‌ ଦିଆଯାଇଛି। ସେହିପରି ପୋଲିସ, ଅଗ୍ନିସେବା ଓ ଆମ୍ବୁଲାନ୍ସ ଗାଡ଼ି ସମେତ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇଥିବା ଯାନବାହନ ସ୍ବାଭାବିକଭାବେ ଯାତାୟାତ କରିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘ ଡାବୁଗାଁ ବ୍ଲକ ଶାଖା ସଭାପତି ସନ୍ତୋଷ ଭତ୍ରା, ଉପସଭାପତି ଦିଲୀପ ନାୟକ, ସମ୍ପାଦକ ଅମୀର ଅଲ୍ଲୀ ଖାନ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଡମ୍ବରୁ ନାୟକ, ପ୍ରଶାନ୍ତ ଭତ୍ରା, ନରେନ୍ଦ୍ର ପୂଜାରୀ, ରାମଚନ୍ଦ୍ର ହରିଜନ, ଦୟାବାନ ଭତ୍ରା, ମାଙ୍କୁ ଗୌଡ଼, ଧନେଶ୍ୱର ନାୟକ, ଗୋବିନ୍ଦ ଗୌଡ଼, ମାଣିକଚନ୍ଦ ମାଝିଙ୍କ ସମେତ ବ୍ଲକର ୫୦ରୁ ଊର୍ଦ୍ଧ୍ୱ ଡ୍ରାଇଭର ସାମିଲ ଥିଲେ।