ଲୋହିତ ସାଗରରେ ୨ ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ଅନ୍ତର୍ଜାତୀୟ ବାଣିଜ୍ୟ ଠପ୍‌…

ସାନା,୧୯।୧୨: ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଦୁଇଟି ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି କରିଛି ଏବଂ କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳଠାରୁ ଦୂରେଇ ଯାଇଛନ୍ତି ।
ହୁତି ମୁଖପାତ୍ର ୟାହିୟା ସାରି ଏହି ଜାହାଜଗୁଡ଼ିକୁ ଏମଏସସି କ୍ଲାରା ଏବଂ ନରୱେ ମାଲିକାନା ସ୍ବ ାନ ଆଟଲାଣ୍ଟିକ ବୋଲି ଚିହ୍ନଟ କରିଛନ୍ତି। ସେ କହିଛନ୍ତି ଯେତେବେଳେ ତାଙ୍କ କର୍ମଚାରୀମାନେ ଚାଳନ ଦଳର କଲର ଜବାବ ଦେବାରେ ବିଫଳ ହୋଇଥିଲେ ସେତେବେଳେ ଏହି ଆକ୍ରମଣ କରାଯାଇଥିଲା।

ସ୍ବାନ ଆଟଲାଣ୍ଟିକର ମାଲିକ କହିଛନ୍ତି ଜାହାଜଟି ଏକ ଅଜ୍ଞାତ ବସ୍ତୁ ସହିତ ମୁହାଁମୁହିଁ ଧକ୍କା ହୋଇଛି, କିନ୍ତୁ ଏଥିରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ଗ୍ରୁପ ତଥ୍ୟ ଅନୁଯାୟୀ, ଏମଏସସି କ୍ଲାରା ହେଉଛି ପାନାମା ଫ୍ଲାଗ ହୋଇଥିବା ଜାହାଜ। କିନ୍ତୁ ଜାହାଜ ଉପରେ ହୋଇଥିବା ଆକ୍ରମଣର ବିବରଣୀ ତୁରନ୍ତ ସ୍ପଷ୍ଟ ହୋଇନାହିଁ।

ବର୍ତ୍ତମାନ ଏହି ଆକ୍ରମଣ ତୈଳ, ଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନକୁ ନେଇ ଚିନ୍ତାର କାରଣ ହୋଇଛି ଏବଂ ବୀମା ମୂଲ୍ୟ ବୃଦ୍ଧି କରିଛି। ଲୋହିତ ସାଗର ଦେଇ ସାମଗ୍ରୀ ପଠାଇବା ଏଣିକି ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି।ଏହି ଆକ୍ରମଣ ଯୋଗୁ ଜାହାଜ ପରିବହନ ବୀମା ଖର୍ଚ୍ଚ ଦିନକୁ ହଜାରେ ଡଲାର ବୃଦ୍ଧି ପାଇବା ଦ୍ୱାରା ତୈଳ ମୂଲ୍ୟ ବୃଦ୍ଧି ପାଇଛି।

ସୁରକ୍ଷାକୁ ଦର୍ଶାଇ ଲୋହିତ ସାଗର ଦେଇ ସମସ୍ତ ଗମନାଗମନକୁ ସାମୟିକ ଭାବରେ ବନ୍ଦ କରି ଯାଇଛି। ବାଣିଜ୍ୟ ମାର୍ଗର ସୁରକ୍ଷା ପାଇଁ ଏକ ଟାସ୍କଫୋର୍ସ ଗଠନ ପାଇଁ ଆମେରିକା ଅନ୍ୟ ଦେଶ ସହ ଆଲୋଚନା କରୁଥିବାବେଳେ ଇଟାଲୀ ଲୋହିତ ସାଗରରେ ପାଟ୍ରୋଲିଂ ପାଇଁ ଏକ ନୌସେନା ମିଳିତ ମଞ୍ଚରେ ଯୋଗଦେବାକୁ ଚିନ୍ତା କରୁଛି।

ସୂଚନାଯୋଗ୍ୟ, ଇରାନ ସମର୍ଥିତ ହୁତିମାନେ ଗତ ସପ୍ତାହରେ ଅନେକ ଜାହାଜ ଉପରେ ଆକ୍ରମଣ କରି କହିଛନ୍ତି ସେମାନେ ଗାଜାରେ ସାମରିକ ଆକ୍ରମଣକୁ ବିରୋଧ କରି ଲୋହିତ ସାଗରରେ ଥିବା ଜାହାଜକୁ ଟାର୍ଗେଟ କରିଛନ୍ତି।

Share