ସୁଦାନର ରାଜଧାନୀ ଖାର୍ତୁମ ଉପରେ ଡ୍ରୋନ ଆକ୍ରମଣ: ୪୦ ମୃତ, ୩୬ରୁ ଅଧିକ ଆହତ…

ନୂଆଦିଲ୍ଲୀ,୧୧।୯ : ସୁଦାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ଆରଏସଏଫ ମଧ୍ୟରେ ବିବାଦ ମଧ୍ୟରେ ରାଜଧାନୀ ଖାର୍ତୁମର ଏକ ବଜାରରେ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪୦ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ କର୍ମୀ କହିଛନ୍ତି ୩୬ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ବର୍ତ୍ତମାନ ସମସ୍ତ ଆହତଙ୍କୁ ସୁଦାନର ବଶିର ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଡ୍ରୋନ ଆକ୍ରମଣ ପଛରେ କେଉଁ ଦଳର ହାତ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏପ୍ରିଲ ୧୫ ରେ ସୁଦାନରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ପରଠାରୁ ଏହା ସର୍ବାଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ। ଏହି ଆକ୍ରମଣର ପରିସର ବର୍ତ୍ତମାନ ଆବାସିକ ଅଞ୍ଚଳ ଆଡକୁ ବୃଦ୍ଧି ପାଉଛି। ଶକ୍ତି ନିୟନ୍ତ୍ରଣ ପାଇଁ ସଂଗ୍ରାମ ଏପ୍ରିଲରୁ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଆସୁଛି।

ଅଗଷ୍ଟ ପାଇଁ ଜାତିସଂଘର ଆକଳନ ଅନୁଯାୟୀ ସେନା ଏବଂ ଆରଏସଏଫ ମଧ୍ୟରେ ସଂଘର୍ଷରେ ୪,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଗୃହଯୁଦ୍ଧ ବହୁ ସଂଖ୍ୟକ ଲୋକଙ୍କୁ ବିସ୍ଥାପିତ କରିବାକୁ ବାଧ୍ୟ କରିଛି। ହିଂସା ଯୋଗୁ ପ୍ରାୟ ୭୧ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି। ୧୧ ଲକ୍ଷ ଲୋକ ବିଦେଶୀ ଦେଶରେ ଆଶ୍ରୟ ନେଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଦେଶର ଅନ୍ୟ ସ୍ଥାନରେ ରହୁଛନ୍ତି।

ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ, ଏପ୍ରିଲରୁ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ଯୋଗୁଁ ସୁଦାନର ଅବସ୍ଥା ବିଗିଡି ଯାଇଛି। ଏପ୍ରିଲରୁ ଶରଣାର୍ଥୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଏହି ସଂଖ୍ୟା ୭.୧ ମିଲିୟନରେ ପହଞ୍ଚିଛି। ୧.୧ ମିଲିୟନ ଶରଣାର୍ଥୀ ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି।

Share