ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ କ୍ୟାମେରା। ଆକାଶ ମାର୍ଗରୁ ଏହାର ଭିଡିଓ ଉତ୍ତୋଳନ କରାଯାଇ ୟୁଟ୍ୟୁବ୍ରେ ଶେୟାର କରାଯାଇଛି। ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ଉକ୍ତ ଭିଡିଓକୁ ନିଜର ଆକାଉଣ୍ଟ(ୟୁନିଫାଏଡ୍ ଅନିମେଶ)ରୁ ଦୁଇ ସପ୍ତାହ ତଳେ ଶେୟାର କରିଛନ୍ତି। ଇତି ମଧ୍ୟରେ ହଜାର ହଜାର ଲୋକ ଏହାକୁ ଦେଖି ସାରିଲେଣି। ଶନିବାର ଘଟଣା ପଦାକୁ ଆସିବା ପରେ ଭିଡିଓକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନିମେଶ ଶ୍ରୀମନ୍ଦିର ଅତି ନିକଟରୁ ଭିଡିଓ କରିଛନ୍ତି। ରୋଷଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ନିଳଚକ୍ରରେ ବାନା ବନ୍ଧା, ଭକ୍ତଙ୍କ ଗହଳି ଭଳି ଅନେକ କିଛିର ଭିଡିଓ ସେଥିରେ ରହିଛି। ଗୋଟିଏ ପଟେ ଶ୍ରୀମନ୍ଦିରେ ପୋଲିସ ମୁତୟନ ଥିବା ସତ୍ତ୍ୱେ କିଭଳି ଏହି ଭିଡିଓ ଶୁଟିଂ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ଲେଖାଯିବା ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସଠାରୁ ପ୍ରତିକ୍ରିୟା ମିଳିନାହିଁ।