‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.)

ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ। ଏହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ୧୦୦ କିଷାନ୍‌ ଡ୍ରୋନ୍‌ର ଶୁଭାରମ୍ଭ କରିଛନ୍ତି। ଏହା କୃଷକମାନଙ୍କ ପାଇଁ ଏକ ଅଭିନବ ଓ ଆକର୍ଷଣୀୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏହି ଡ୍ରୋନ୍‌ ଶନିବାର ଅନୁଗୋଳ ବ୍ଲକ ଛେଣ୍ଡିପଦା ବ୍ଲକରେ ପହଞ୍ଚିଛି।
ଛେଣ୍ଡିପଦା ବ୍ଲକ କୃଷକ ଉତ୍ପାଦକ ସଂଘ ସଭାପତି ରଞ୍ଜିତା ସାହୁଙ୍କ ତତ୍ତ୍ୱାବଧାନରେ ଛେଣ୍ଡିପଦାର ବିଭିନ୍ନ ଗ୍ରାମରେ ଚାଷୀଙ୍କୁ ଏହାର ବ୍ୟବହାର ଶିଖାଇବା ସହିତ ଉପାଦେୟତା ଏବଂ ଚାଷୀ କିପରି କମ୍‌ ଖର୍ଚ୍ଚରେ ଅଧିକ ଉତ୍ପାଦନ କରିବେ ସେ ବିଷୟରେ ବୁଝାଇଥିଲେ। ଏହି ଡ୍ରୋନ୍‌ ଗୁଡିକ ଚାଷୀଙ୍କୁ ସାହାଯ୍ୟ କରିବ। ଜମିରେ କୀଟନାଶକ ଓ ଅନ୍ୟ ସାମଗ୍ରୀ ସିଞ୍ଚନ କରିବ। ତେବେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପୂର୍ବରୁ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି। ଛେଣ୍ଡିପଦାର ନୂଆମୌଜ, ହାଣ୍ଡିଗୁଡା, ନୂଆଗାଁ, କୁକୁରପେଟା ଅଞ୍ଚଳର ଶତାଧିକ ଚାଷୀଙ୍କୁ କିଷାନ୍‌ ଡ୍ରୋନ ବ୍ୟବହାର ସମ୍ପର୍କରେ ବୁଝାଯାଇଥିଲା। କଖାରୁ, ଆମ୍ବ, କାଜୁ, ନଡିଆଗଛ ଠାରୁ ସୁ ଉଚ୍ଚ ଗଛ ପର୍ଯ୍ୟନ୍ତ ଏହି କିଷାନ୍‌ ଡ୍ରୋନ୍‌ ସାର ଓ କୀଟନାଶକ ସିଞ୍ଚନ କରିପାରିବ। ଏକକାଳୀନ ୧୬ ଲିଟର କୀଟନାଶକ ଧରି ସିଞ୍ଚନ କରୁଥିବା ଡ୍ରୋନ୍‌ ସେନସର ଦ୍ୱାରା ପରିଚାଳିତ ହେଉଛି। ଏହା ୩୦ ମିନିଟ ମଧ୍ୟରେ ୧୦ ଏକରରେ ସିଞ୍ଚନ କରିପାରିବ।

Share