ମାଓବାଦୀଙ୍କୁ ନଜର ରଖିବ ଡ୍ରୋନ୍‌

ଫୁଲବାଣୀ ଅଫିସ/ ସୁନାବେଡ଼ା (ସ୍ବ.ପ୍ର.) ୧୪।୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ ବଂଶଲ ଶନିବାର କୋରାପୁଟ ଓ କନ୍ଧମାଳ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ବୁଲିବା ସହ ମାଓବାଦୀଙ୍କ ଗତିବିଧି ଉପରେ ସମୀକ୍ଷା କରିଛନ୍ତି। ପ୍ରଥମେ କୋରାପୁଟ ଜିଲା ସୁନାବେଡ଼ା ହାଲ୍‌ ହେଲିପ୍ୟାଡରେ ପହଞ୍ଚତ୍ ଜିଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସ୍‌ଏଫ୍‌ ଅଧିକାରୀଙ୍କ ସହ ମାଓବାଦୀଙ୍କ ଦମନ ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ କନ୍ଧମାଳ ଜିଲା ଗସ୍ତ କରି ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗିରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ସେଠାରୁ ଫୁଲବାଣୀ ରିଜର୍ଭ ପୋଲିସ କାର୍ଯ୍ୟାଳୟ ଯାଇ ୬ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବିଏସ୍‌ଏଫ କ୍ୟାମ୍ପ ଉଦ୍‌ଘାଟନ କରିଥିଲେ। ମାଓବାଦୀଙ୍କ ଗତିବିଧି ଉପରେ ୬ଟି ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ୍‌ ନଜର ରଖିବ ବୋଲି ଡିଜିପି ବଂଶଲ କହିଛନ୍ତି। ଏହାପରେ ଜିଲା ପୋଲିସ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହିଂସା ଛାଡ଼ି ମାଓବାଦୀମାନେ ତୁରନ୍ତ ମୁଖ୍ୟସ୍ରୋତରେ ସାମିଲ ହେବା ସହ ସରକାରଙ୍କ ଲୋକାଭିମୁଖି ଯୋଜନାର ଲାଭ ଉଠାନ୍ତୁ, ନଚେତ ବିଏସ୍‌ଏଫ୍‌ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ବିଏସ୍‌ଏଫ ଆଇ.ଜି ଦୀନେଶ କୁମାର ଶର୍ମା କହିଛନ୍ତି। ଏହି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇ.ଜି ଅପେରଶନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇ, ସିଆରପିଏଫ କମାଣ୍ଡାଣ୍ଟ ସଞ୍ଜୀବ କୁମାର, ବିଏସ୍‌ଏଫ୍‌ ଆଇ.ଜି ଦୀନେଶ କୁମାର ଶର୍ମା, ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ।

Share