ଗମ୍ଭୀର ହୋଇପାରେ ମରୁଡ଼ି ସ୍ଥିତି

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ରାଜ୍ୟରେ ପାଣି ଅଭାବରୁ ବିଭିନ୍ନ ଜିଲାରେ ଜମି ଫାଟି ଆଁ ହୋଇଛି। ତଳି ଓ ରୁଆ ଶୁଖିବାରେ ଲାଗିଛି। ଆଗକୁ ମରୁଡ଼ି ସ୍ଥିତି ଗମ୍ଭୀର ହେବାର ଆଶଙ୍କା ଦେଖାଦେଇଛି। କାରଣ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗି ରହିଛି। ୧୦ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୨୦ ଜିଲାରେ କମ୍‌ ବର୍ଷିଛି। ବିଶେଷକରି ମୌସୁମୀ ସକ୍ରିୟ ହେବା ପରେ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୪ଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଗୋଟିଏ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିଥିଲା। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି। ଏବେ ବି ବର୍ଷା ହେବାର ସମୟ ଅଛି। ଜିଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦିଅନ୍ତି। ସେହି ରିପୋର୍ଟକୁ ଆଧାର କରି ସରକାର କୃଷକଙ୍କ ମଙ୍ଗଳ ପାଇଁ ପଦକ୍ଷେପ ନିଅନ୍ତି। ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଜୁନ୍‌ ୧ରୁ ଅଗଷ୍ଟ ୯ ମଧ୍ୟରେ ଓଡ଼ିଶାରେ ସମୁଦାୟ ବୃଷ୍ଟିପାତ ୪୮୪.୮ ମି.ମି. ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷା ୬୭୭.୭ ମି.ମି. ତୁଳନାରେ ୨୮%ରୁ କମ୍‌। ଭଦ୍ରକ, ଯାଜପୁର, ଗଜପତି ଓ ବଲାଙ୍ଗୀର ଆଦି ୪ ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଏସବୁ ଜିଲାରେ ୪୦% କିମ୍ବା ତା’ଠାରୁ ଅଧିକ ଅଭାବୀ ବର୍ଷା ଦେଖାଯାଇଛି। ତେବେ ଅଗଷ୍ଟରେ ମୌସୁମୀ ଦୁର୍ବଳ ରହିଛି। ଫଳରେ ଗତ ୧ରୁ ୯ ତାରିଖ ମଧ୍ୟରେ ୭୫% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ୧୧୫.୪ ମି.ମି.ଠାରୁ ୨୮.୫ ମି.ମି. ରହିଛି। ସୋମବାର ଭୁବନେଶ୍ୱରରେ ସର୍ବାଧିକ ୨୨.୭ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କଟକ, ଝାରସୁଗୁଡ଼ା, ବାରିପଦାରେ ମଧ୍ୟ ବର୍ଷା ହୋଇଛି। କିନ୍ତୁ ଆସନ୍ତା ୫ରୁ ୬ଦିନ ମଧ୍ୟ କମ୍‌ ବର୍ଷା ହେବ ଓ କିଛି ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Share