ମରୁଡ଼ି ପରେ ଦାଉ ସାଧିଲା ବର୍ଷା

ନୟାଗଡ଼,୭।୧୨(ଲୋକନାଥ ମିଶ୍ର)ମରୁଡି ପରେ ଦାଉ ସାଧିଛି ବର୍ଷା । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ ପଡିଛି। ରାତିରେ ଅଧିକ ବର୍ଷା ହେଲେ ଧାନ ଫସଲ ଅମଳ ଉପରେ ପ୍ରଭାବ ପକାଇପାରେ । ବୁଧବାରର ବର୍ଷା ଧାନର ଗୁଣବତ୍ତାକୁ ନଷ୍ଟ କରିପାରେ। ବୁଧବାର ସକାଳୁ ଲଗାଣ ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଛ ପାଣିରେ ଭିଜିଛି। କଟା ଯାଇଥିବା ଧାନ ବିଲରେ ପଡିଥିବା ବେଳେ ବର୍ଷା ପାଣିରେ ଭିଜିଥିଲା। କେତେଜଣ ଚାଷୀ ଧାନ କାଟି ନିଜ ବିଲ ସମ୍ମୁଖରେ ରଖି ପାଲ ଘୋଡାଇ ରଖିଥିଲେ। ଅଧିକାଂଶ ଅଞ୍ଚଳରେ ଧାନ ଗଛ ପାଚି ଥିବା ବେଳେ ଧାନ କଟା ହୋଇନି। ଅନ୍ୟ ପଟେ ପରିବା ଚାଷୀ ମଧ୍ୟ ଏହି ବର୍ଷା ଯୋଗୁ ବ୍ୟାପକ କ୍ଷତି ସହିବାକୁ ପଡିଛି। ଫୁଲକୋବି, ବିନ୍‌, ମଟର, ଟମାଟୋ, ବନ୍ଧାକୋବି ଭଳି ପରିବା ଚାଷୀ ଅମଳ ସମୟରେ ଅଦିନିଆ ବର୍ଷା ଦାଉ ସାଜିଛି। ବର୍ଷା ଯୋଗୁ ପରିବା ଚାଷ ପ୍ରଭାବିତ ହେବା ସହ ଫଳନ୍ତି ପରିବା ସବୁ ନଷ୍ଟ ହୋଇଯାଇଛି। ପରିବା ଗଛ ସବୁ ନଷ୍ଟ ହୋଇଯାଇଛି। ବାତ୍ୟା ମିଗଜୋମ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲେଇ ଦେଇଛି। ଏହି ସମୟରେ ବିନ୍‌, ଫୁଲକୋବି ବିକ୍ରି ହୁଏ। ଅଦିନିଆ ବର୍ଷା ବ୍ୟାପକ କ୍ଷତି କରିଥିବା ଚାଷୀମାନେ କହିଛନ୍ତି। ଏନେଇ ବାଲୁଗାଁ ଚାଷୀ ରଣଜିତ ଦଳବେହେରା କୁହନ୍ତି, ବର୍ଷା ଯୋଗୁ ଧାନର ମାନ କମିବ। ତେବେ ରାତିରେ ଅଧିକ ବର୍ଷା ହେଲେ ଧାନ ଫସଲ ଉଜୁଡିଯିବ । ରଣପୁରର ଚାଷୀ ଗୋଲାପ ବେହେରା କୁହନ୍ତି, ଆମ ଅଞ୍ଚଳରେ ମରୁଡ଼ ପ୍ରକୋପ ଅଧିକ ରହିଛି। ହେଲେ ଆମ ଦାବି କେହି ଶୁଣୁ ନାହାନ୍ତି। ଏବେ ବର୍ଷାରେ ଅବଶିଷ୍ଟ ଫସଲ ପୁଣି ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ନୂଆଗାଁର ଚାଷୀ ପୀତବାସ ନାୟକ କୁହନ୍ତି, ଚଳିତ ବର୍ଷ ମରୁଡ଼ି ଓ ଅଦିନିଆ ବର୍ଷାରେ ଚାଷୀର ଫସଲ କ୍ଷତି ହୋଇଛି। ଯେଉଁ କିଛି ଫସଲ ଆମଦାନୀ ହେବ ସେଥିରେ ମଣ୍ଡିରେ ମିଲର ଦାଉ ସାଧିବ। ଚାଷୀର ଟେନସନ ବଢ଼ାଇ ଦେଇଛି ବର୍ଷା। ବର୍ଷା ଯୋଗୁ ଅଧିକାଂଶ ଚାଷୀ ଧାନ କାଟି ଦେଲେ। ହେଲେ ତାକୁ ସଂଗ୍ରହ କରି ଗଦା ଦେଇ ପାରିଲେନି। ଓଡ଼ଗାଁର ଚାଷୀ ରବି ସାହୁ କୁହନ୍ତି ମରୁଡ଼ି ପ୍ରକୋପ ସମୟରେ ଜଳସେଚନ ଦ୍ୱାରା ଓଡ଼ଗାଁ ବ୍ଲକ ଅଞ୍ଚଳର ଅନେକ ଚାଷୀ ଫସଲ ବଞ୍ଚାଇଥିଲେ। ଧାନ ଅମଳ ସମୟରେ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷାରେ ଧାନ ଭିଜିଥିଲେ ମଧ୍ୟ ଜମିରେ ପାଣି ନାହିଁ। କେବଳ ବର୍ଷା ମାଡ଼ରେ ଯାହା ଧାନର ଗୁଣବତ୍ତା ନଷ୍ଟ ହେବ। ତେବେ ଚାଷୀ ରବି ଫସଲରେ ଫାଇଦା ନେବାକୁ ଆଶା ରଖିଛି ବୋଲି କହିଛନ୍ତି। ସରକାର ଚାଷୀଙ୍କ ଅସୁବିଧାକୁ ଦେଖି ସହଯୋଗର ହାତ ବଢ଼ାଇବା ଦରକାର ବୋଲି ସେ କହିଛନ୍ତି ା

Share