୭ ଜିଲାରେ ମରୁଡ଼ିର ପଦଧ୍ୱନି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଜୁଲାଇ ଅଧା ହେବାକୁ ବସିଲାଣି। ମାସେ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଦୁର୍ବଳ ମୌସୁମୀ ସାଙ୍ଗକୁ ଲଘୁଚାପ ସୃଷ୍ଟି ହେଉ ନ ଥିବାରୁ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହେଲାଣି। ରାଜ୍ୟର ୭ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଜୁନ୍‌ ପହିଲାରୁ ଜୁଲାଇ ୧୨ ତାରିଖ ମଧ୍ୟରେ ବାଲେଶ୍ୱରରେ ୨୫ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କଟକ ୩୧, ଯାଜପୁର ୩୬, କେନ୍ଦ୍ରାପଡା ୩୬, ଖୋର୍ଦ୍ଧା ୩୧, ପୁରୀ ୪୪ ଏବଂ ସୁବର୍ଣ୍ଣପୁର ଜିଲାରେ ୨୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ମାତ୍ର ୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୩୫.୮ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୩୪୬.୨ ମିଲିମିଟର। ଆସନ୍ତା ୫ ଦିନ ମଧ୍ୟରେ ବର୍ଷା ପରିମାଣ ବଢିବାର କୌଣସି ସୂଚନା ମଧ୍ୟ ମିଳୁ ନାହିଁ। ପାଣି ଅଭାବରୁ ଉକ୍ତ ଜିଲାଗୁଡିକରେ ଧାନ ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ହୋଇପାରୁ ନାହିଁ। ପୂର୍ବ ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସୋନପୁର, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟିି ସ୍ଥାନରେ ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି।
ଗତ ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୨୭.୬, ସମ୍ବଲପୁର ୧୧, ଟିଟିଲାଗଡ ୪୬, ବଲାଙ୍ଗୀର ୩୨.୨, ସୋନପୁର ୧୦, ରାୟଗଡା ୩୨, ଭବାନୀପାଟଣା ୪.୬ ଏବଂ ମାଲକାନଗିରି ଜିଲାରେ ୧୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share