ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା

ସିଂହପୁର,୧୩ା୭ (ଅନଙ୍ଗ ଉଦୟ ବେଉରିଆ): ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି। ବିଞ୍ଝାରପୁର ବ୍ଲକ୍‌ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି। ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଆଷାଢ଼ ଶେଷହେବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହେଉ ନ ଥିବାରୁ ଧାନ ତଳି ସୁଖିବାକୁ ଲାଗିଲାଣି।

ବ୍ଲକର ସିଂହପୁର, ଓଲେଇଚନ୍ଦନପୁର, ଜରି, ବାଙ୍ଗରା, ବାଚ୍ଚଳ, ଫତେପୁର, କଲ୍ୟାଣପୁର ସମେତ ଆଖପାଖ ଅଞ୍ଚଳରେ କେନାଲ ପାଣି ନ ଥିବାରୁ ବର୍ଷାପାଣି ଉପରେ ଲୋକେ ନିର୍ଭର କରନ୍ତି। ଏହି ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ। ବିଲରେ ଗଜା ମରୁଡି ଆଶଙ୍କା ଦେଖା ଦେଇଥିବାବେଳେ ଚାଷୀଙ୍କ ହାତରେ ବିହନ ନାହଁି କି ପଇସା ନାହିଁ। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ବୋଲି ଗୋପାଳ ପ୍ରଧାନ, ପୁରୁଷୋତ୍ତମ ବେହେରା, ନାରାୟଣ ଚନ୍ଦ୍ର ପାତ୍ର, ପ୍ରମୋଦ ବେଉରିଆ, ପ୍ରଭାତ ବେଉରିଆ, ପ୍ରଫୁଲ୍ଲ ମଲିକ, ବିଶ୍ୱନାଥ ବେହେରାଙ୍କ ସମେତ ବହୁ ଚାଷୀ କହିଛନ୍ତି। ଖରାଦିନେ ପଡ଼ିଥିବା ଧାନ ତଳି ଗଛ ହୋଇଥିଲେ ମଧ୍ୟ ଶୁଖିଗଲାଣି। ସେଗୁଡ଼ିକ ଗୋରୁଙ୍କ ଚାରଣ ଭୂଇଁ ପାଲଟିଛି। ବର୍ଷକର ଆହାର ଚାଲିଯିବା ଆଶଙ୍କା କରି ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି।