ଆଫ୍ରିକାରେ ମରୁଡି ଆଶଙ୍କା! ଫସଲ ଜଳିଯିବା ସହ ହେଲାଣି ଅନେକ ପଶୁଙ୍କ ମୃତ୍ୟୁ

ଆଫ୍ରିକା,୧୦।୬: ବିଶ୍ୱତ୍ତାପନ ଯୋଗୁଁ ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଆଫ୍ରିକାରେ ମରୁଡ଼ି ଆଶଙ୍କା ୧୦୦% ବୃଦ୍ଧି ପାଇଛି। ଏନେଇ ଓ୍ବାଲର୍‌ଡ ଓ୍ବେଦର୍‌ ଆଟ୍ରିବ୍ୟୁସନ(ଡବ୍ଲୁଡବ୍ଲୁଏ)ରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ କହିଛି, ଅଢେଇ ବର୍ଷ ଧରି ଆଫ୍ରିକାରେ ହାରାହାରି ଠାରୁ କମ୍‌ ବର୍ଷା ହୋଇଛି। ଏଠାର ଜଳବାୟୁ ଦୀର୍ଘଦିନ ଧରି ଉତ୍ତପ୍ତ ରହିଛି। ଏହି କାରଣରୁ ବହୁ ଫସଲ ଶୁଖିଯାଇଛି ଏବଂ ଜଳିଯାଇଛି। ଅନେକ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି ବୋଲି ଡବ୍ଲୁଡବ୍ଲୁଏ ଦର୍ଶାଇଛି।

ଜଳବାୟୁ ପରିବର୍ତ୍ତନ ପୂର୍ବ ଆଫ୍ରିକା (ହର୍ନ ଅଫ୍‌ ଆଫ୍ରିକାର)କୁ ଦୁର୍ଭିକ୍ଷକୁ ଡାକି ଆଣିଛି। ଏହି ଅଞ୍ଚଳର ଜିବୁଟି, ଇରିଟ୍ରିଆ, ଇଥିଓପିଆ ଏବଂ ସୋମାଲିଆ ଭଳି ଦେଶରେ ହଜାର ହଜାର ଲୋକ ଅନାହାର ଏବଂ ଜଳ ଅଭାବର ଶିକାର ହୋଇଛନ୍ତି।

ସୋମାଲିଆରେ ଗୃହଯୁଦ୍ଧ ଚାଲିଛି। ଯୁଦ୍ଧ ହେତୁ ସେଠାକାର ଅବସ୍ଥା ଖରାପ ଥିଲା, କିନ୍ତୁ ମରୁଡ଼ି ପରିସ୍ଥିତି ଏହାକୁ ଆହୁରି ଖରାପ କରିଦେଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୨୦୨୨ମସିହା ହୋଇଥିବା ମରୁଡ଼ି ଯୋଗୁ ୪୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ୫ବର୍ଷରୁ କମ୍‌ ପିଲା ଥିଲେ।

Share