Categories: ଜାତୀୟ

ଦ୍ରୌପଦୀଙ୍କୁ ଭେଟିବେ ଏନଡିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୭: ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ । ଗୁରୁବାର ଅର୍ଥାତ୍ ଜୁଲାଇ ୨୧ରେ ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଉଥିବା ବେଳେ ଅନ୍ୟପଟେ ଦେଶର ସବୁଠାରୁ ବଡ ରାଷ୍ଟ୍ରୀୟ ରାଜନୈତିକ ଦଳ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇଡିର ସାମ୍ନା କରିବାକୁ ପଡିଛି । ଦେଶକୁ ମିଳିଛି ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି । ଏହା ଜଣାପଡିବା ପରେ ଦ୍ରୌପଦୀଙ୍କୁ କେବଳ ଦେଶ କାହିଁକି ବିଦେଶରୁ ବି ମିଳିଛି ଶୁଭେଚ୍ଛା । ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ଖୁବଶୀଘ୍ର ଦ୍ରୌପଦୀଙ୍କୁ ଭେଟିବା ଆଶା ପ୍ରକାଶ କରିଛନ୍ତି । ଏପଟେ ଶୁକ୍ରବାର ଏନଡିଏର ସମସ୍ତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ଅଧ୍ୟକ୍ଷ ଦ୍ରୌପଦୀଙ୍କୁ ଭେଟିବାକୁ ପହଞ୍ଚିବେ ବୋଲି ଜଣାପଡିଛି । ଏହାସହ ଯେଉଁ ରାଜ୍ୟରେ ବିରୋଧୀ ମୁଖ୍ୟମନ୍ତ୍ରୀ ଓ ବିଧାୟକ ରହିଛନ୍ତି ସେମାନେ ବି ଦିଲ୍ଲୀ ସ୍ଥିତ ବାସଭବନରେ ଦ୍ରୌପଦୀଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଭାଜପାର ସମସ୍ତ ପ୍ରଦେଶ ଅଧ୍ୟକ୍ଷ ବି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିବେ ।
ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ଯୋଗୁ ଦ୍ରୌପଦୀଙ୍କୁ ଲାଭ ହୋଇଥିବା କୁହାଯାଉଛି । ଦ୍ରୌପଦୀଙ୍କୁ ୬୪.୨୩ ପ୍ରତିଶତ ଭୋଟ ମିଳିଛି । ଯାହା ଆଶାଠାରୁ ଅଧିକ ବୋଲି କୁହାଯାଉଛି ।

Share