ତରଭୁଜ କିଆରିରେ ଟ୍ରାକ୍ଟର ମଡ଼ାଇଲେ

ବରଗଡ଼ ଅଫିସ୍‌/ପଦ୍ମପୁର, ୭।୪(ଡି.ଏନ.ଏ.): ଅଦିନିଆ ବର୍ଷା ପରେ ଗୁଳୁଗୁଳି ଯୋଗୁ ବରଗଡ଼ ଜିଲାର ତରଭୁଜ ଫସଲ ପ୍ରଭାବିତ ହୋଇଛି। ଫସଲ ନଷ୍ଟ ହେବାରୁ ଜିଲାର ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତ ଅନ୍ତର୍ଗତ କୁଦୋପାଲି ଗ୍ରାମର ଚାଷୀ କ୍ଷୀରୋଦ୍ର ମୁନା ତାଙ୍କ ତରଭୁଜ କିଆରିରେ ଟ୍ରାକ୍ଟର ମଡ଼ାଇ ଦେଇଛନ୍ତି। ସୂଚନା ଅନୁସାରେ, କୁଦୋପାଲି ଗ୍ରାମର ଚାଷୀ କ୍ଷୀରୋଦ୍ରଙ୍କ ସମୁଦାୟ ୯ଏକର ଚାଷଜମି ରହିଥିବା ବେଳେ ସବୁ ଅଣଜଳସେଚିତ। କେବଳ ବର୍ଷାଋତୁରେ ସେଥିରେ ଧାନ ଫସଲ କରାଯାଏ। ତେବେ ଚଳିତବର୍ଷ କ୍ଷୀରୋଦ୍ର ପ୍ରଥମଥର ପାଇଁ ୩ ଏକର ଜମିରେ ତରଭୁଜ ଏବଂ ୧ଏକରରେ ମୁଗ ଚାଷ କରିଥିଲେ। ଅବଶିଷ୍ଟ ଜମି ପଡ଼ିଆ ପଡ଼ିଥିଲା। ଗତ କିଛିଦିନ ତଳେ ଅଦିନିଆ ବର୍ଷା ଏବଂ ପରେ ଗୁଳଗୁଳି ଅନୁଭୂତ ହୋଇଥିଲା। ଫଳରେ ତାଙ୍କ ଜମିରେ ଫଳିଥିବା ତରଭୁଜ ସବୁ ନଷ୍ଟ ହୋଇଥିଲା। ଫସଲ ଭଲ ହୋଇଥିଲା ଏବଂ ତାଙ୍କୁ କିଛି ଲାଭ ମିଳିବ ବୋଲି ଆଶା ମଧ୍ୟ ରହିଥିଲା। ମାତ୍ର ବର୍ଷା ପରେ ଗୁଳୁଗୁଳି ଯୋଗୁ ମାଟି ସହ ଲାଗି ରହିଥିବା ତରଭୁଜର ତଳ ଅଂଶ ପଚିଯାଇଥିଲା। ନଷ୍ଟ ହୋଇଥିବା ତରଭୁଜ ବିକ୍ରି ଯୋଗ୍ୟ ନ ହେବା ଏବଂ ଆଗକୁ କଖାରୁ (ମାଖନ) ଚାଷ ପାଇଁ କ୍ଷୀରୋଦ୍ର ଉକ୍ତ ଜମିରେ ବୁଧବାର ଟ୍ରାକ୍ଟର ମଡ଼ାଇ ଦେଇଥିଲେ। ସେ ତରଭୁଜ ଚାଷରେ ପ୍ରାୟ ୯୫ ହଜାର ଟଙ୍କା ଧାରକରଜ କରି ଖର୍ଚ୍ଚ କରିଥିଲେ। ଫସଲ ଉଜୁଡ଼ି ଯିବାରୁ ତାଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି ବୋଲି କ୍ଷୀରୋଦ୍ର କହିଛନ୍ତି ।

Share