ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରାରମ୍ଭିକ ୨ ଓଭରରେ ନିଷ୍ପତ୍ତି ପୁନଃ ବିଚାର ପ୍ରକ୍ରିୟା (ଡିଆର୍ଏସ୍) ଉପଲବ୍ଧ ନ ଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡଲାଇଟ୍ ଟାଓ୍ବାରରେ ବିଦ୍ୟୁତ ବିଭ୍ରାଟ ଘଟିଥିଲା। ଏଥିଯୋଗୁ ସିଏସ୍କେ ଇନିଂସର ୧.୪ ଓଭରରେ ଡିଆର୍ଏସ୍ ବ୍ୟବହାର କରାଯାଇ ପାରି ନ ଥିଲା, ଯାହାକି ସିଏସ୍କେ ପାଇଁ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳର ଇନ୍ ଫର୍ମ ଓପନର ଡେଭନ କନଓ୍ବେ(୦) ଓ ରବିନ ଉଥପ୍ପା(୧) ଏଲ୍ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। କିନ୍ତୁ ଡିଆର୍ଏସ୍ ଉପଲବ୍ଧ ନ ଥିବାରୁ ସେମାନେ ଏହାର ଫାଇଦା ଉଠାଇ ପାରି ନ ଥିଲା। ଉଥପ୍ପା ଆଉଟ୍ ହେବାର ପରବର୍ତ୍ତୀ ବଲରେ ହିଁ ଡିଆର୍ଏସ୍ ଉପଲବ୍ଧ ହୋଇଥିଲା। ଏ ସମ୍ପର୍କରେ ଫିଲ୍ଡ ଅମ୍ପାୟର ଖେଳାଳିଙ୍କୁ ଜଣାଇଥିଲେ। ଟସ୍ର କିଛି କ୍ଷଣ ପୂର୍ବରୁ ଷ୍ଟାଡିୟମର ଏକ ଫ୍ଲଡଲାଇଟ୍ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ଟସ୍ରେ ମଧ୍ୟ ବିଳମ୍ବ ହୋଇଥିଲା।